STORYMIRROR

padmaja pati

Abstract

4  

padmaja pati

Abstract

ଭାବନା ଆସଇ ମନେ

ଭାବନା ଆସଇ ମନେ

1 min
14

ବାଳୁତ କାଳରୁ ଚିହ୍ନିଲି ସଂସାର

କେତେ ସମ୍ଭାବନା ତହିଁ

ଅଛୁ ଓ ହେବୁ ର ମଝିରେ ଝୁଲଇ 

ମଣିଷ ଜୀବନ ଯହିଁ।

କେଉଁଠାରେ କୋଳାହଳ ପରିବେଶ

କେଉଁଠି ନିର୍ଜନ ପ୍ରାନ୍ତ

ଭଲ, ମନ୍ଦ,ପାପ,ପୁଣ୍ୟ, ସୁଖ, ଦୁଃଖ

ନାହିଁ ଯା'ର ଆଦି ଅନ୍ତ।

କେତେ ଯେ ଚାଲିଛି ପରୀକ୍ଷା,ନିରୀକ୍ଷା

ପାଇବାକୁ ଟିକେ ଶାନ୍ତି

ସନ୍ତୋଷ ଏଠାରେ ମାୟା ମରୀଚିକା

ଯାଉନି ମନରୁ ଭ୍ରାନ୍ତି।

ଭଙ୍ଗା ଗଢା ପୁଣି ଚାଲିଅଛି ଏଠି 

ସମ୍ପର୍କ ପାଣିର ଗାର

ମୋର,ମୋର ବୋଲି କହି କହି ନିତି

ମରୁଛି, ଜୀଉଁଛି ନର।

ନଚାନ୍ତି ସେ ବିଶ୍ଵନିୟନ୍ତା ଅଦୃଶ୍ୟ

ମାୟାକାର ଦଣ୍ଡଧାରୀ

କର୍ମର ବୁଜୁଜା ସଭିଙ୍କ କାନ୍ଧରେ

ନିସ୍ତାର ନାହିଁ କାହାରି।

ହିସାବ ନିକାଶ କରୁଛନ୍ତି ପରା 

ଶ୍ରେଷ୍ଠ ଗଣିତଜ୍ଞ ଆମ

ଦୃଷ୍ଟିରୁ ତାଙ୍କର ନ ଲୁଚଇ କିଛି

କରୁ ଯେତେ ଆମେ କାମ।

ସୁମରି ତାହାଙ୍କୁ କରିବା କର୍ତ୍ତବ୍ୟ

ମିଳୁ ନିନ୍ଦା କି ପ୍ରଶଂସା

ହାଟ ବାହୁଡା଼ ତ ସଭିଏଁ ଏଠାରେ

ଏକା ସେ ସାହା ଭରସା।

ଅରୂପ ର ରୂପ, ପଙ୍ଗୁ ର ପୟର

ଅନ୍ଧର ଲଉଡ଼ି ସେହି

ସଂସାର ସାଗର କରିବାକୁ ପାରି

ଭିଡିଛନ୍ତି ଅଣ୍ଟା ବିହି।

ରଖିବାକୁ ହେବ ଭରସା, ବିଶ୍ୱାସ

ଜୀବନର ଚଲା ପଥେ

କରିବେ ପାଳନ ସୃଷ୍ଟିକୁ ତାଙ୍କର

ପରମ ଯତନ ସାଥେ।



Rate this content
Log in

Similar oriya poem from Abstract