ଏତେ ସପନକୁ ରାତି କାହିଁ
ଏତେ ସପନକୁ ରାତି କାହିଁ
ସନିଆ ମାଆଟା କତରାରେ ପଡ଼ି
ଛଟ ପଟ ହୁଏ ଖାଲି
ମନ ଘାରି ହୁଏ ଆସିବ କି ପୁଅ
ଦେଖିବ ଟିକିଏ ବୋଲି ll
କେତେ କଷ୍ଟ କରି ବଡ଼ କରିଥିଲା
ଆଖି ଲୁହ ଓଠେ ପିଇ
ବଡ଼ ହେଲେ ପୁଅ ମଣିଷ ହୋଇବ
ତୀର୍ଥ ବୁଲାଇବ ନେଇ ll
ବଡ଼ହେଲା ପୁଅ ଶଶୀକଳା ସମ
ଜାଣିନି ଅଭାବ କଥା
ମାଆର ପଣତ ରଖିଛି ଘୋଡ଼ାଇ
ଉଚ୍ଚରେ ଉଠାଇ ମଥା ll
ଅତିକ୍ରମି କେତେ ନଦୀ ଓ ସାଗର
ଚାଲିଗଲା ପରଦେଶେ
ପାଠ ପଢି ବଡ଼ ହାକିମ ହୋଇବ
ଆସିବ ସାହେବୀ ବେଶେ ll
ଦିନ କେତେଟାରେ ରଖି ସମ୍ପର୍କରେ
ନିତି ନିତି କଥାହେଲା
ପାଠପଢି ବଡ଼ ଚାକିରୀ ପାଇଲା
ମାଆକୁ ଖବର ଦେଲା ll
ସନାତନ ଆମ ହାକିମ ହୋଇଛି
ବୁଲି ବୁଲି କହେମାଆ
ଛାତି ତାର ହୁଏ କୁଣ୍ଢେ ମୋଟ ପୁଣି
ଫାଟିବାକୁ ବାକି ଯାହା ll
ଦିନ ପରେ ଦିନ ଗଡ଼ି ତ ଚାଲିଲା
ନ ଫେରିଲା ପୁଅ ଆଉ
ସାହେବୀ ଲଳନା ପାଲରେ ପଡ଼ି ସେ
ଦେଖାଇଲା ବଡ ଭାଉ ll
ଭୁଲିଗଲା ମାଆ ଜନ୍ମଭୂମି ନାଆଁ
ଭୁଲିଲା ଅତ୍ମୀୟ ଜନ
ଝୁରି ଝୁରି ବୁଢ଼ୀ କତରାରେ ପଡ଼ି
ଭୁଲିଲାଣି ତା' ସପନ ll
ପୁଅର ସାନ୍ନିଧ୍ୟ ତାର ସେଵା ଯତ୍ନ
ପାଇବାର ଇଚ୍ଛା ଯେତେ
ଏତେ ସପନକୁ ରାତି ଅବା କାହିଁ
ଭାବୁଛି ବୁଢ଼ୀ ନିରତେ ll