ଝୁରିବାକୁ ମୋତେ ଦେବୁନି
ଝୁରିବାକୁ ମୋତେ ଦେବୁନି
ଶୂନ୍ୟ, ଶୂନ୍ୟ ମହାଶୂନ୍ୟ ଏଇ ବିସ୍ତୃତ
ମହାକାଶରେ, ସଂସାର ବନ୍ଧନ,
ମାୟା ମୋହ ବିଶ୍ୱାସ ଅବିଶ୍ୱାସ ହୃଦୟରେ
ଅଛି, ଏହା ଚେତନାଶକ୍ତି ଜାଣ |୧|
ଗଛରୁ ଝଡ଼ିଥିବା ଫୁଲ ଯେତେ ଚେଷ୍ଟାକଲେ
ଆଉ କ'ଣ ସତେଜ ଦିଶିବ
ସେଦିନର ଅବସ୍ଥା ଆଜି ନରହିବ, ଏହା ଏକ
ଗୂଢ ତତ୍ତ୍ୱ, ତାକୁ ମନେ ହେଜିବ |୨|
ମନ ଦାଣ୍ଡେ ଅନୁରାଗପଣ ରହେ ଶ୍ରଦ୍ଧା, ସ୍ନେହ,
ମମତାର ନୈବେଦ୍ୟ ବାଢିଣ
ଅନୁରାଗପଣକୁ ଅବହେଳା ଅବା ଢିଲା କଲେ
ସନ୍ତପ୍ତରେ ଉବୁଟୁବୁ ହୁଏ ଜୀବନ |୩|
ତମେ ମୋ ଜୀବନକୁ ଆସିଥିଲ କେତେ
ଯେ ଲମ୍ବା ଅପେକ୍ଷାର ପରେ
ଆମେ ଦୁହେଁ ଏକାଠି ହୋଇଲେ ତ ଏହି
ଆମର ଜୀବନ ଯାତ୍ରାରେ |୪|
ସେ ଦିନ ଆଉ ଆଜି ଭିତରେ, ସମ୍ପର୍କରେ
ଫରକ ଆକାଶ ପାତାଳ
ଆଜି ତୁମେ ପରା ନାଉରୀ ହୋଇଛ, ନ
ଦେଖିଲେ ଲାଗେ ଡହଳ ବିକଳ |୫|
ଦେଖା ଦେଇଥିଲା ତୃଷ୍ଣା ମୋର ଅସରନ୍ତି
ତୁମକୁ ଛାଡି ପାରିଲିନି
ରହିଲ ଏଇ ସଂସାରରୂପୀ ଅଭିନୟରେ
ହୋଇ ମୋର ହୃଦୟମଣି |୬|
ତୋର ମୋର କେତେ ସୁଖ ଦୁଃଖର ଭାବ,
କେବେ କାଟି ଦେବୁନି
ଘଟ ଛାଡ଼ିଲା ପର୍ଯ୍ୟନ୍ତ ରହିବୁ ସଂଗରେ,
ଦୁଃଖେ ଝୁରିବାକୁ ମୋତେ ଦେବୁନି |୭|

