ଏଈ ଶ୍ରାବଣ ସନ୍ଧ୍ୟାରେ
ଏଈ ଶ୍ରାବଣ ସନ୍ଧ୍ୟାରେ
ଆସନ୍ତନି ଥରେ
ଶୂନ ନଈ ପଠାଧାରେ
କାଶତଣ୍ଡୀ ଫୁଲର ସହରେ
ହାତେ ହାତ ଛନ୍ଦି ବୁଲନ୍ତେ
ଖୁବ ମନଖୋଲି ଗପନ୍ତେ
ଏଈ ଶ୍ରାବଣ ସନ୍ଧ୍ୟାରେ ।
ବାଣ୍ଟନ୍ତେ ସୁଖ ଦୁଃଖ
କିଛି ହସ ଆଉ ଲୁହ
ବୁକୁରେ ମଥା ରଖି
ହିସାବ କରନ୍ତେ ବସି
ବୟସର ତରଜୁରେ
କେତେ ଗଲା କେତେ ବାକି
ଲାଭରେ କ୍ଷତିରେ ।
ଓଲଟାନ୍ତେ ଅତୀତକୁ
ପୃଷ୍ଠା ପୃଷ୍ଠା କରି
କିଛି ରଙ୍ଗ ଭରନ୍ତେ
ଫିକା ଚିତ୍ରପଟେ
ହୃଦୟ କାନ୍ଥରେ
ମୋ ଗୋଲାପୀ ଶାଢୀରୁ
ଅଥବା ତୁମ ମିଠା ହୃଦୟରୁ
ପ୍ରୀତିର ରଙ୍ଗରେ ।
ତୁମେ କୁହନ୍ତ
ନୁରୀ ମୋ ନୁରୀ
ତୁମେ ନଈଠୁ ସୁନ୍ଦରୀ
ଶୂନ ନଈ ଢେଉ ପରି
ତୁମେ ଶ୍ୟାମଳୀ ଶ୍ୟାମଳୀ
ନଈ ଯାଆନ୍ତା ରୁଷି
ଜଳନ୍ତା ଇର୍ଷାରେ ବେଶି
ମୁଁହ ମୋଡି ଦୂରେ ।
ମୁଁ ସାଜନ୍ତି କବିତା
ତୁମେ ମିଠା କବି
ଶବ୍ଦ ସବୁ ଫୁଲ ପରି
ମହକିଯାଆନ୍ତେ ଫୁଟି
ମହୁମାଛି ସାଜି
ସମୟ ଯାଆନ୍ତା ହଜି
କଳ୍ପନା ସୁଅରେ ।
ଏଈ ଶ୍ରାବଣ ସନ୍ଧ୍ୟାରେ ।