ସନ୍ଧ୍ୟା ଗୋ ତୁମେ
ସନ୍ଧ୍ୟା ଗୋ ତୁମେ
ସନ୍ଧ୍ୟା ଗୋ ତୁମେ ପ୍ରତିଚୀ ଗଗନେ
ଆଙ୍କି ଦିଅ କେତେ ଛବି
ଅସ୍ତ ହେଲେ ରବି ଆସ ପଦ ଚାଳି
ଗାଇ ମଧୁର ପୁରବୀ ।
କବିଙ୍କୁ ବିଭୋର କରାଅ ଗୋ ତୁମେ
ଆଙ୍କି ଅନେକ ସୁଚିତ୍ର
ପୁଲକିତ କର ପ୍ରାଣୀ ମନ ଚିର
ହରି ନିଅ ମନ ଚିତ୍ତ ।
ପ୍ରତିଚୀ ଆନନେ ସନ୍ଧ୍ୟା ଗୋ ତୁମେ
ଅବିର ଦିଅ କି ବୋଳି
ପ୍ରାଣୀ ଙ୍କ ର ମନ ଆନନ୍ଦେ ଉଚ୍ଛୁଳି
ଉଠେ ଶୁଭ , ହୁଳହୁଳି ।
ଶୁଭେ ପ୍ରତି ଗୃହ ଅଙ୍ଗଣ ପ୍ରାଙ୍ଗଣେ
ତୁଳସୀ ବୃକ୍ଷର ମୂଳେ
ଗୃହ ସିମନ୍ତିନୀ ସନ୍ଧ୍ୟା ଦୀପ ଜାଳି
ଦିଏ ଏହି ଶୁଭ କାଳେ ।
ପିତ ଓ ଲୋହିତ ମୟୁଖେ ଚିତ୍ରିତ
ପଶ୍ଚିମ ଅମ୍ବର କୋଳ
ନୀଡ଼ ଅଭିମୁଖେ ବିହଙ୍ଗେ ଫେରନ୍ତି
ଗୋଠୁ ଯାନ୍ତି ଗୋରୁ ପଲ ।
ଶ୍ରମ ଜିବୀ ଯେତେ ପୁଲକିତ ଚିତ୍ତେ
ଫେରନ୍ତି ନିଜ ଆବlସେ
ଶଙ୍ଖ ହୁଳହୁଳି ଶବଦ ଉଚ୍ଛୁଳି
ଧୂପ ଦୀପ ଗନ୍ଧ ବାସେ ।
ତୁମରି ଆଗମେ କେତେ ମନୋରମେ
ସଜ୍ଜିତ ହୁଏ ପ୍ରକୃତି
ଦିନ ଶ୍ରମ କ୍ଳାନ୍ତି ଭୁଲାଇ ପ୍ରଶାନ୍ତି
ଦିଅ ତୁମେ ନିତି ନିତି ।
ଦିବସ ଗହଳ କ୍ରମେ କମି କମି
ଆସଇ ରଜନୀ ରାଣୀ
ସ୍ନିଗ୍ଧ ସୁଶୀତଳ ବସୁମତୀ କୋଳ
ଅନ୍ଧକାର ଆବରଣି ।
ଆଣି ଆଚ୍ଛାଦିତ କରି ଦିଏ କ୍ଷଣେ
ଜଳ ସ୍ଥଳ ବନ ଗିରି
ଆକାଶ ରେ ଟିକି ତାରା ଫୁଲ ଫୁଟି
ମିଞ୍ଜି ମିଞ୍ଜି ଦିଶେ ଜଳି ।

