ସମୟର ପକ୍ଷୀ
ସମୟର ପକ୍ଷୀ
ସମୟ ଦୌଡୁଥିଲା ଜୋର୍ ଜୋର୍
ପାହୁଣ୍ଡ ପକେଇ ଆଗକୁ
ମୁଁ ବି ଦୌଡୁଥିଲୁ ସ୍ୱପ୍ନକୁ ମୁଠେଇ
ପକ୍ଷୀଟିଏ ଉଡୁଥିଲା
ମାଟିରୁ ଆକାଶ
ଗାଉଥିଲା କି ବିଭୋରେ ଗୀତ
ପଚାରିଲି କିଏ ତୁମେ ?
ଗାଉଛ କି ଗୀତ ?
ମୂର୍କି ହସି କହିଲା ସେ
ମଧ୍ୟାହ୍ନରେ ଗାଉଛି ମୁଁ
କଅଁଳ ଅଣ ଲେଉଟା ସକାଳ ମୁଗ୍ଧ ସଙ୍ଗୀତ।
ଚଗଲା ଅବାଧ୍ୟ ମନ ମୋର
ବେକ ଭାଙ୍ଗି ପଛକୁ ଚାହିଁଲା
ଅମାନିଅଁ ସ୍ମୃତିରେ ଓଦା କଲା
ମୋ ଭିଜିଲା ଆଖିରେ
ଧୂଆଁ ଧୂଆଁ ଦିଶିଲା ପିଛା କରୁଥିବା
ପିଠି କରି ଆସି ଥିବା ନିରୁତା
ଅଳ୍ପକେ ସନ୍ତୁଷ୍ଟ ସମୟକୁ।
କ୍ୟାଲେଣ୍ଡର ପୃଷ୍ଠାର ମସିହା ବଦଳେ
ଜାଗୁରୁ ଜାଗୁରୁ ଅନ୍ଧାର ଭିତରେ
ବଂଶୀ ସ୍ବନ ଭାସି ଆସେ
ହାଲିଆ ହୋଇ ଦୌଡୁଛ କେହି
ଏକ ଏକ ଯୋଗ କରି ଏତେ ବେଗି!
ରହିବୁକି ଟିକେ ?
ଅଫେରା ପାଦ ସେ
କେବଳ ଦୌଡୁଥିଲା ଆଗକୁ
ତୀବ୍ର ଗତି ତାର
ରୋକିବା ନିଷ୍ଫଳ ନିର୍ବୋଧତା
ମୋତେ ମୋଠୁ ଛଡାଇ କିନ୍ତୁ
ବେହୋସ ବର୍ତ୍ତମାନ
ଅଣ୍ଡାଳୁଛି ଟିପେ ଖୁସି।
ସବୁ ସ୍ମୃତି ଉପରୁ ଅଳିଆ ଝାଡୁଛି
ଦେ ଫେରେଇ ସେଇ ଦିନ
ନିଷ୍ପାପ ସରଳ ମନ
ହେ ସମୟର ପକ୍ଷୀ !
ତୋତେ ମୁଁ ନେହୁରା ହେଉଛି।