ସମୟର ଖେଳ
ସମୟର ଖେଳ
ସମୟ ଚକ୍ରରେ ଜୀବନର ଯାତ୍ରା
ନିରତେ ଯେ ଗତିଶୀଳ
ଧନ ମାନ ଯଶ କିବା ବିତ୍ତ ଶକ୍ତି
କଷି ପାରେ ନାହିଁ ବଳ ।
ଗଭୀର ଶୋକରେ ଭାରତ ବକ୍ଷରେ
ବହୁଛି ଲୋତକ ଧାରା
ଧୀର ବସନ୍ତର ଆଗମନେ ଆଜି
କୋକିଳ ନିରବ ପରା ।
ମାନସେ ଭାସୁଛି ସାତ ସ୍ବର ଧ୍ୱନି
ଚହଲାଇ ସ୍ମୃତି ଗୀତି
ସଂଗୀତ ବଲ୍ଲରୀ ଚଉଦିଗେ ଘେରି
ଜାଳୁଛି ଅଲିଭା ବତୀ ।
କାଳର ଆୟତେ ସକଳେ ଚଳିବେ
ଜନ ଜୀବ ବୃକ୍ଷ ଲତା
ଅନ୍ତିମ ଯାତ୍ରାରେ ଲତା ମଙ୍ଗେସକର
ବୁଝେନା ଅଶ୍ରୁଳ ପତା ।
ହଜାର ହଜାର ସଂଗୀତ ମୂର୍ଚ୍ଛନା
ଦେଶରୁ ବିଦେଶ ଜିତି
ବିଂଶ ଭାଷା ସ୍ବରେ ଗାୟନେ ଅର୍ଜନ
ଅଦ୍ଭୁତ ଗାରିମା କୀର୍ତ୍ତି ।
ବସନ୍ତ ଋତୁରେ ମଧୁର ତାନରେ
କିଏ ତୋଳି ଦେବେ ସ୍ବର
ଦେଶାତ୍ମବୋଧକ କାହାର ସଂଗୀତ
ହୃଦୟେ କରିବ ଘର ।
ସତେ ସରସ୍ବତୀ ଧରଣୀକୁ ଆସି
ବିଦାୟ ମେଲାଣି ତୀରେ
ଭୁଲି ତ ହୁଏନା ସ୍ବର ରାଗିଣୀକୁ
ଯେତେ ଲେଖିଲେ କି ସରେ ।
କବି ମହାକବି ଯେତେ ବା ଲେଖନ୍ତୁ
ସ୍ବର ବିନା ଶୁନ୍ୟ ପଣ
ଲେଖାର ମହତ୍ୱ ପ୍ରସ୍ଫୁଟିତ ହୁଏ
ଯେବେ ଯୋଡେ ସ୍ବର ରଣ ।
ଲତା ମଙ୍ଗେସକର ଭାରତୀୟ ପାଇଁ
ଗର୍ବ ଗୌରବର ସ୍ତମ୍ଭ
ଏ ମାଟି କୋଳରେ ନୋବେଲ ବିଜେତା
ହେବ କି ନା ଅସମ୍ଭବ ।
ଆଞ୍ଜୁଳା ଆଞ୍ଜୁଳା ଲୁହ ଶ୍ରଦ୍ଧାଞ୍ଜଳି
ବାଢି ଦିଅ ପାଦ ତଳେ
ସ୍ବରର ସାମ୍ରାଜ୍ଞୀ ସଦା ରହି ଥାନ୍ତୁ
ମନ ରତ୍ନାକର ଜଳେ ।