STORYMIRROR

Aparti Charan Sethi

Abstract Tragedy

4  

Aparti Charan Sethi

Abstract Tragedy

ଅଲୋଡ଼ା ପ୍ରାଣୀଟି ମୁହିଁ

ଅଲୋଡ଼ା ପ୍ରାଣୀଟି ମୁହିଁ

1 min
439


କର୍ମକୁ ଆଦରି ପଡିରହିଛି ମୁଁ

   ଯେଣୁ ଏ ଭବ ସଂସାରେ,

ଅଲୋଡ଼ାଅଖୋଜା ଜୀବନଟା ମୋର

   ଦ‌ଅଁଗଞ୍ଜ ହୋଇ ମରେ।

କିଏ ବା କାହିଁକି ମୋତେ ପଚାରିବ

    ଯେଣୁ ମୋ ଖାତିରି ନାହିଁ,

ଦୁଃଖୀ ମଣିଷର ପରିଚୟ ନେଇ

    ଦୁନିଆଁରେ ବଞ୍ଚେ ମୁହିଁ।

ଯଦି ଗଣ୍ଡଗୋଳ ଝଗଡ଼ା ଝାଟିରେ

    ମୁଣ୍ଡ ମୁଁ ପୁରାଏ ନାହିଁ,

ତଥାପି ସହୁଛି‌ ବହୁ ନିର୍ଯ୍ୟାତନା

     ଏହି ଦୁନିଆଁରୁ ମୁହିଁ।

କହିଲେ କହିବେ ବାଜେ ଲୋକ ଇଏ

      ନ କହିଲେ ପୋତାମୁହାଁ,

ଷଣ୍ଢକୁ ମାଇଲେ ଷଣ୍ଢ ମାଇଲେ ବି

      ମଣିଷ ଏଠାରେ ମଲା।

ବଡ଼ ଜଟିଳିଆ ଆଜିର ଦୁନିଆଁ

     ରାଜ୍ ଚାଲେ ଅସତ୍ୟର,

ଖାତିରି ମିଳିବ ନିଶା ପାଣି ଖାଇ

     ଯେତେ ହୋ ହାଲ୍ଲା କର।

ପରକୁ ଖାଲରେ‌ ପକାଇବା ପାଇଁ

      କୁଟନୀତି ଜାଣେ ଯିଏ,

ଏ ଦୁନିଆଁ ତାକୁ ଭଲ ମଣିଷର

      ପରିଚୟ ଦେଇଥାଏ।

ନିଜ ଦୁଃଖେ ଥାଇ ଯେ ଭଲ ଚଳିଲା

      ଶତ୍ରୁ ସିଏ ହୋଇଯାଏ,

ଦୁନିଆଁ ଆଖିରେ ସମାଲୋଚନାର

      ପାତ୍ର ସିଏ ହୋଇଥାଏ।

ଅସତ୍ୟ ସମ୍ପର୍କ ସ୍ଥାପନ କରି ଯେ

       ଦଳ ଏଠି ଗଢିଥାଏ,

ସବୁ ନ୍ୟାୟ ତାକୁ ମିଳୁଛି ଏଠାରେ

       ଧର୍ମ ନିତି କାନ୍ଦୁଥାଏ।

କଳିଯୁଗ ଧର୍ମ ପାଳନ ଯେ କରେ

      ଏ ଯୁଗର ଜ୍ଞାନୀ ସେହି,

ସତ୍ୟ ନ୍ୟାୟ ଯିଏ ପ୍ରଚାର କରୁଛି

      ଦଣ୍ଡ ସବୁ ତାହା ପାଇଁ।

ବିଭିନ୍ନ ସମସ୍ୟା ସହିବାକୁ ପଡ଼େ

      ସତ ପଥେ ଚାଲୁଥିଲେ,

ଅସତ୍ୟ ଜନକୁ‌ ବିଭିନ୍ନ କୋଣରୁ

      ମାନ ସନମାନ‌ ମିଳେ।

ତେଣୁ ଏ ଦୁନିଆଁ ହାଟେ ବଞ୍ଚିବାକୁ

      ପରୀକ୍ଷା କେତେ ମୁଁ ଦେବି,

କେବଳ ପ୍ରଭୁଙ୍କୁ ଗୁହାରୀ ମୁଁ କରି

       ଆୟୂଷ ମୋ ଗଣୁଥିବି।

ବଞ୍ଚିବାର ମୋହ ନାହିଁ ମହାବାହୁ

       ଏତିକି ପ୍ରାର୍ଥନା ମୋର,

ଏ ମିଛ ସଂସାରେ ସତ୍ୟ ରକ୍ଷା କରି

        ପାପକୁ ବିନାଶ କର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract