STORYMIRROR

Jayashree Das

Tragedy

4  

Jayashree Das

Tragedy

ପ୍ରେମର ଯାତନା

ପ୍ରେମର ଯାତନା

1 min
997


ଖିଆଲି ତୂଳୀରେ ଆଙ୍କିଥିଲି ଦିନେ,

    ସପନର ବାଲିଘର.

ପ୍ରଥମ ପ୍ରେମର ସିକ୍ତ ବାଲିଶଯ୍ୟା,

   ମୋତିଟିଏ ଶାମୁକାର.


ଆସୁଥିଲ ପ୍ରିୟ ଚନ୍ଦନ ବନର,

   ମଳୟ ପବନ ଧରି.

ଫଗୁଣ ଗୋଲାପି ଋତୁରାଜ ସହ,

   ସପ୍ତରଙ୍ଗ ହୋଲିଖେଳି.


ଗୋଧୂଳୀ ବେଳାରେ ଆସୁଥିଲ ଯେବେ,

  ନୀଳ ଲଫାପାଟେ ଧରି.

ସେହି ଲଫାପାର ଦେହେ ଭରିଥିଲା,

   ନୀଳସ୍ବପ୍ନ ଅସୁମାରୀ.


ମୋ ମନ ଉଦ୍ୟାନେ ପ୍ରେମର କଳିଟି,

   ପାଖୁଡା ମେଲିବା ପରେ.

ଆଉ କେଉଁ ଫୁଲ ଇସାରା ପାଇଲ,

   ଚୁମି ଗଲ ତା ଶରୀରେ.


ଝୁମା ଝୁମା ମୋର ଢଳ ଢଳ ଆଖି,

   ସପନ ଦେଖିଛି କେତେ.

କଥା ଦେଇଥିଲ ମାଳିଟିଏ ସାଜି,

  ପାଖେ ରଖିଥିବ ମୋତେ.


ମିଳନର ମଧୁ ସ୍ୱପ୍ନିଳ ସପନେ,

  ଆନମନା ପ୍ରତୀକ୍ଷଣେ,

ପ୍ରଣୟ ଦୀପାଳି ଜାଳି ଦେଇଥିଲି,

   ଛୋଟ ମୋର ହୃଦୟରେ.


ମଧୁର ମୂର୍ଚ୍ଛନା ଶ୍ରାବଣ ରାତିରେ,

  ମନେ ଶିହରଣ ଜାଗେ.

ବେଦରଦୀ ତୁମ ହୃଦୟ ଦୁଆର,

  ଅଫିଟା ରଖିଲ ଏବେ.


ପ୍ରେମର ମାୟାରେ ପଥହରା ହୋଇ,

   ଖୋଜୁଛି ମୁଁ ଖୋଜୁଥିବି.

ପିୟୁଷ ବଦଳେ ଗରଳ ଛିଟାରେ,

    ଜଳିପୋଡି ମରୁଥିବି.


ଚନ୍ଦ୍ରମା ମୁଁ ପ୍ରିୟ ତୁମେ ଗୋ ସୂରୁଜ,

  ତୁମ ଆଲୋକରେ ଆଲୋକିତ.

ପୂର୍ଣ୍ଣମୀ ଜୋଚ୍ଛନା ଦିଗନ୍ତେ ହଜାଇ,

   ଉଆଁସ ରେ ହେଲି ପ୍ରୀତ.


ଅନାଗତ ଆଉ ଭବିଷ୍ୟତ ସାଥେ,

   କରୁଛି ମୁଁ ବୁଝାମଣା.

ମରୀଚିକା ଦେଖି ଆଉ ଏ ଜୀବନେ,

   ହେବିନାହିଁ ବାଟବଣା.


ବିଶ୍ୱାସର ଶରଶଯ୍ୟାରେ ଶୋଇଛି,

   ନିଶ୍ୱାସ ନିଏ ମୁଁ ଏକା.

ସବ୍ୟସାଚୀ ସାଜି ମୋ ପ୍ରେମ ଦୁଆରେ,

   ଟାଣିଅଛ ସୀମାରେଖା.


ଏତେ କୋହ ଏତେ ଦାହ ଧରି ପ୍ରିୟ,

   କେମିତି ବଞ୍ଚିବି କୁହ.

ମୋହ ଦରିଆର ଲହରୀ ଭିତରୁ,

  ସାଉଁଟୁଛି ଖାଲି ଲୁହ.


ପ୍ରୀତିର ଶୀତଳ ଧାର ଆଜି ସାଜେ,

   ପ୍ରିୟ ଉଷ୍ମ ପ୍ରସବଣ.

ମୋ ଜୀବନ ଧନ ପାଲଟି ଯାଇଛି,

   କଣ୍ଟକିତ କାକଟ୍ସ ବଣ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy