ବେପର୍ବା
ବେପର୍ବା
ରାସ୍ତାରେ ଭଙ୍ଗା ପୋଲ
ମୋ ପାଦ ଚଲା ସଡ଼କ ରେ
ବସିବାର ନିମିତ୍ତ କ୍ଷଣ ଟିଏ
ଶରୀର ର ଓଜନ ଟା,
ତା' ଉପରେ ଲଦି ଦେଇଛି କେତେଥର ।
ପୁରୁଣା ଆୟୁଷ ରେ
ପୋଲ ଉପରେ ଅନେକ ଫାଟ
ତେବେ ବି ମୋ ଭାର ଟା ସହେ
କେବେ ପ୍ରତିବାଦ କରେନା
ବୋଧେ ସହି ବାର ସାମର୍ଥ୍ୟ ଟା
ତା'ର ଅତି ପୁରୁଣା ।
ମନ ର ତରାଜୁ ରେ ଓଜନ ଟା
କେବେ ଭାରୀ ତ କେବେ ହାଲ୍କା
ଯେବେ ବି ହାଲ୍କା ହୁଏ
ପକ୍ଷୀ ପରି ଡେଣା ପିଟି
ଉଡ଼ିଯାଏ ଆକାଶକୁ
ଡେଣା ଖୋଲି ପବନରେ ଶୋଇ ଯାଏ
ମନ କହେ ,
ମୁଁ ଆଉ ଉଠିବିନି ।
ଆଖିକୁ ଫୋପାଡ଼ି ଦିଏ ତଳକୁ
କ୍ଷଣେ ଦେଖିବାକୁ
ମର୍ତ୍ତ୍ୟରେ ବୁଲୁଥିବା ବେହିସାଵ ଜୀବ ଙ୍କୁ ।
ମନେ ଅଛି ମୋର
ଦିନେ ଅନୁରାଗ ରେ ପୋତି ପକାଇ
ଜୋର୍ ରେ ଧକ୍କା ଟିଏ ଦେଇଥିଲେ ଜଣେ
ତଳେ ପଡ଼ିବା ପୂର୍ବରୁ
ପୁଣିଥରେ ହାତ ବଢ଼ାଇ
ଏ ଅନୁଗ୍ରହ ର ହାତ କୁ ଧରି
ଉପରକୁ ଉଠିଯା ବୋଲି
ନିର୍ଦ୍ଦେଶ ଦେଇଥିଲେ ।
ସେଦିନ ଭାବିଥିଲି,
କେତେ ଆସ୍ପର୍ଦ୍ଧା ଏ ଅନ୍ଧ ମନ ର
ସେଦିନ ବି ଏ ପୋଲ ମୋ
ଅନ୍ତର୍ବେଦନା କୁ ନିରବ ହୋଇ ଶୁଣିଥିଲା ।
ଗାଲିବ୍ ଙ୍କ ଶାୟରୀ କୁ
ମନ ଭରି ପିଇଥିଲି ଦିନେ
ବିକ୍ଷିପ୍ତ ମନ ରେ ଢେର୍ ସାରା
ଆବେଗ ଥିଲା
ତଣ୍ଟି ପାଖେ ଅଟକି
ମାର୍ଜିତ କାଳିରେ ବୋହିଯାଉଥିଲା ,
ଅନୁତାପ ସହ ଅନୁରାଗର
ତୃପ୍ତ ଅନୁଭଵ ଟେ
ରାଗ ସହ ଫେଣ୍ଟା ଫେଣ୍ଟି ପ୍ରେମ ଟେ ।
ବୁଝିଗଲି ମୁଁ,
କାହାକୁ ଚିହ୍ନିବା ଆଉ ଚିହ୍ନାଇବା ର
ଅଦ୍ଭୁତ ପ୍ରୟାସ ଟେ ଅନ୍ତରୀକ୍ଷ ର ।
ଅନୁରାଗ ଓ ସ୍ୱାଭିମାନ ର ଯୁଦ୍ଧ ଭିତରେ
ନିଜକୁ କ୍ଷତାକ୍ତ କରୁଥିବା
ହୃଦୟ ଟେ ନିଶ୍ଚିତ ଆପଣାର ।
ଆପଣାର ବୋଲି କହିଲେ
ଝୁକିଯାଏ ଆଖି
ଏ ନିର୍ଜୀବ ପୋଲ ଉପରେ
ନିର୍ବିକାର ସ୍ୱରେ ଦୁଇ ଧାଡ଼ି
ଗାଲିବ୍ ଙ୍କ ଶାୟରୀ ଶୁଣେ
ବେପର୍ବା ମନକୁ ଖୋଜିବା ନିଶାରେ ।