ବାପା
ବାପା
ଆକାଶଠାରୁ ବଡ଼ ,
ସସାଗରା ଧରା ସବୁଠାରୁ ମହୀୟାନ !
ଯେତେ ଦୂର ଯାଏ ଆଖିପାଏ
ଯେତେ ଲମ୍ୱା ଧାର ଯାଏ ଯାଉଥାଏ ମନର ଭାବନା ..
ହୃଦୟର ସବୁ ଭଲପାଇବାର ଉଚ୍ଛ୍ୱାସ
ମଥା ଉପରେ ଶକ୍ତ ଏକ ଛାତଟିଏ ,
ଆଖିବୁଜି ନିଶ୍ଚିନ୍ତରେ ଯେଉଁଠି ନିର୍ଭର କରିହୁଏ
ସେ ବାପା ।
ତୁମ ଆଦର୍ଶ ଓ ସଂସ୍କାରରେ
ଜୀବନର ପ୍ରତ୍ୟେକ କ୍ଷେତ୍ର ଆଲୋକିତ ,
ତୁମର ଶାସନ ... ଜୀବନ ଗଢି଼ବାକୁ ନେଇ
ଭୟ ଭିତରେ ଭଲପାଇବା ଓ ସ୍ନେହ ..
ତୁମର ପଦେ ଆଶ୍ୱାସନା
ଭିଜାଇ ଦିଏ ମନକୁ ଅନନ୍ତ ଆନନ୍ଦରେ ।
ଭଲ ପାଇବାର ସୁନ୍ଦର ଅନୁଭବ
କୈଶୋରର କ୍ଳାନ୍ତିର ଉପଶମ ,
କଠୋର ଶାସନ ଭିତରେ ଲୁଚିଥିବା ସ୍ନେହ ମମତାର ନିର୍ଝରଟିଏ
ନିର୍ଭୟ ଆଶ୍ୱାସନାର ସଦା ଆଶିର୍ବାଦର ଭରସାଟିଏ ,
ମୋର ସାହସ , ସମ୍ମାନ ,
ମୋର ସବୁ ସ୍ୱପ୍ନକୁ ସାକାର ରୂପ ଦେଉଥିବା ..
ସବୁବେଳେ ଛଳ ଛଳ ହେଉଥିବା
ବ୍ୟକ୍ତିତ୍ୱ ଟିଏ ବାପା ।
ତୁମ ଶ୍ରଦ୍ଧା , ତ୍ୟାଗ , ଅକ୍ଳାନ୍ତ ପରିଶ୍ରମ
ତୁମ ସ୍ନେହ ପ୍ରେମ ,
ଆଶାର ଆକାଶଠାରୁ ବଡ଼ !
ତୁମେ ଜାଣ ବାପା
କେମିତି ଲୁଚେଇବାକୁ ହୁଏ ଲୁହ ଓ କୋହ ,
ସବୁବେଳେ କ୍ଷମା କରୁଥିବା ଆଖିରେ
ଅପର୍ଯ୍ୟାପ୍ତ ଆଶାର ଝଲକ !
ତୁମ ଛାଇ ଛତ୍ରୀ ପରି
ସବୁ ଆପଦ ବିପଦରେ ସାହାରାଟିଏ ,
ଯେଉଁ ଭ଼ଉଁରୀରେ ଆହୁଲା ପାଏନା
ସେଠି ତୁମେ ଆଶାର ଭରସାଟିଏ ବାପା ।
ତୁମେ ଚାଲିଯିବା ପରେ
ସବୁ ସ୍ୱପ୍ନ ସରିଯାଇଛି ,
ଅସରନ୍ତି କୋହ ଓ ଲୁହରେ ଫାଟିଯାଏ ଛାତି
ହୃଦୟ କମ୍ପିଯାଏ
ନିରବୀ ଯାଇଛି ପୃଥିବୀ ,
ସମୟ ସ୍ତବ୍ଧ
ଶୁନ୍ ଶାନ୍ ଦିନରାତି
ଭାରୀ ଭାରୀ ଦ୍ୱିପ୍ରହର
ବେଦନାର୍ତ୍ତ ମୁହଁ ସଂଜବେଳ ।
ବେଳେ ବେଳେ ମନରେ ଭାସିଉଠେ ..
ତୁମ ଇଚ୍ଛା ଅନୁସାରେ
ତୁମର ଯୋଗ୍ୟ ସନ୍ତାନଟିଏ ହୋଇପାରିଲି ନାହିଁ ,
ତୁମେ ଯେଉଁଠି ଥାଅ ବାପା
ଆକାଶରେ ଥାଅ ଅବା ତାରାରେ ଥାଅ
କିବା ଜହ୍ନର ଘରେ ରୂପା ପଲଙ୍କରେ ଶୋଇଥାଅ
କି ଇଶ୍ୱରଙ୍କ କୋଳରେ ମଥା ରଖିଥାଅ ..
ଯେଉଁଠି ବି ଥାଅ ,
କ୍ଷମା କରିଦେବ ଥରେ
ତୁମର ଏ ଅଧମ ସନ୍ତାନଟିକୁ ।
ତୁମର ଭଲପାଇବା , ଶିକ୍ଷା ଓ ସଂସ୍କାର
ମହୀୟାନ କରିତୋଳିଛି ଏ ଜୀବନକୁ ,
ତୁମ ଅନନ୍ତ ବିଶାଳତାରେ
ହଜି ଯାଇଛି ଏ ମନ ହୃଦୟ !
ଜନ୍ମ ଜନ୍ମାନ୍ତର ସୂତ୍ରରେ ବନ୍ଧା
ହେ ଅମୃତ ପ୍ରେମର ଆଲୋକ
ତୁମକୁ ଅନନ୍ତ କୋଟି କୋଟି ପ୍ରଣାମ ।