STORYMIRROR

sanhita mohanty

Others

4  

sanhita mohanty

Others

ଶରଣାଗତି

ଶରଣାଗତି

1 min
310


     

ନିର୍ମଳ ହୃଦୟ 

ନିର୍ମଳ ମନ 

ପବିତ୍ର ଶରୀରର ଏକମାତ୍ର ପରିପ୍ରକାଶ   

ଦିବ୍ୟ ଜୀବନ 

ଦିବ୍ୟ ପ୍ରେମର ଆଧାର !


ହେ ମହାବାହୁ   

ମଝି ସମୁଦ୍ରରେ 

ବାଟ ହରା ଦିଗ ହରା

ତୁମ ଅଧମ ସନ୍ତାନ  

ସଂସାର ପଥରେ 

କେତେ ପାପ ପୁଣ୍ୟ 

ସବୁ ତୁମ ପାଦ ତଳେ ରଖି 

ତୁମ ଆଶ୍ରାକୁ ଚାହିଁ 

ଟେକି ଦେଲି ଦୁଇ ହାତ !


ସମୟର ନିଃଶବ୍ଦ ସ୍ରୋତରେ 

କେଉଁଠି ହଜାଇ ଦେଲି 

ହୃଦୟର ଯେତେ ସ୍ଵପ୍ନ  

ଜାଣି ନାହିଁ କେଉଁଠାରେ ପାଦ ଦେଲି 

ଭୁଲ୍ କି ଠିକ୍ ରାସ୍ତାରେ 

ଆଗରେ ପଥ ଅସରନ୍ତି 

ରାହା ଦିଶେ ନାହିଁ !


ତୁମ ଇଚ୍ଛା ବିନା 

ହଲେ ନାହିଁ ଗଛର ପତ୍ରଟିଏ ବି   

ତେବେ କହିଦିଅ ପ୍ରଭୁ ଥରେ 

କାହିଁକି ଘୋଟି ଯାଉଛି 

ଅମା ଅନ୍ଧକାର 

ରାତ୍ରି ସବୁ ବର୍ଷଣ ମୁଖର 

କାହିଁକି ବୁକୁ ଫଟା କୋହ 

ହୃଦୟ କନ୍ଦରରୁ 

ନିରନ୍ତର ଲୁହ ହୋଇ ଝରୁଥାଏ !


ସମୟ ବୋହି ଯାଉଛି 

ନଦୀର ଜଳଧାର ପରି 

ଏକମୁହାଁ ହୋଇ ପ୍ରଖର ସ୍ରୋତରେ  

ବୋହି ଚାଲିଛି ଜୀବନ 

ଛୋଟ ଝରଣାଟିଏ ହୋଇ 

ତୁମରି ଇଚ୍ଛାରେ  

ବଞ୍ଚିଥିବା ଜୀବନର ଦିନ ସବୁ 

ବଞ୍ଚିବାକୁ ଦିଏ ନାହିଁ  

ଅସଂଖ୍ୟ କୋଳାହଳ ମଧ୍ୟେ

ସମ୍ପୂର୍ଣ୍ଣ ଏକାକୀ 

ଘନ ଘନ ଶୂନ୍ୟତାର ଛାଇ !


 ହାତ ବଢ଼ାଇ ତୋଳି ନିଅ ପ୍ରଭୁ 

ପୂର୍ଣ୍ଣ ଶରଣା ଗତିରେ 

ଚିର ଆଶ୍ରିତଟିଏ ମୁଁ   

ହେ ନୀଳ ମେଘ 

ଶ୍ୟାମ ମୁରଲୀ ମନୋହର 

ତୁମ ପାଇଁ ପୂର୍ଣ୍ଣ ପ୍ରେମରେ 

ମୋ ହୃଦୟ 

ନିରନ୍ତର ଉବୁଟୁବୁ ହୋଇ ରହୁ   

ସେଥିରୁ ସ୍ଵତଃସ୍ଫୁର୍ତ୍ତ ଭାବରେ ନିଃସୃତ 

ଆନନ୍ଦ ବିଶ୍ଵାସ ଆବେଗରେ 

ମୋତେ ପାର କରିଦିଅ 

ଉଦ୍ଧାର କରିଦିଅ 

ଏ ଭବ ସାଗରରୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍