STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଏଇଠି ଅଛି ମୋ ଶାନ୍ତି

ଏଇଠି ଅଛି ମୋ ଶାନ୍ତି

1 min
331


ଟଙ୍କା ଦେଇ ଶାନ୍ତି କିଣି ହୁଏ ନାହିଁ

    କିଣି ହୁଏ ନାହିଁ ମନ,

ଯେତେ ଟଙ୍କା ପ୍ରତିବଦଳରେ କିବା

    କିଣା ଯାଇପାରେ ପ୍ରେମ ।


ଚାଳ ଛପରର ଝାଟିମାଟି ଘରେ

    ଯେଉଁ ଶାନ୍ତି ଟିକେ ମିଳେ,

ପଞ୍ଚତାଲା ପଞ୍ଚତାରକା ମହଲେ

     ସବୁରି ମୁଣ୍ଡଟା‌ ଘୂରେ।


ପଖାଳ କଂସା ମୋ ଖୁସିର ଭରଷା

     ଶୁଖୁଆ ପୋଡାରେ ଶାନ୍ତି,

ବିରିଆନୀ ଚାଉମିନି ଦେଖିଦେଲେ

     ଉଠ‌ଉଛି ମୋର ବାନ୍ତି।


ସାଙ୍ଗ ସାଥି ମେଳ‌ ଆମ୍ବ ତୋଟା ତଳ

     ବାଗୁଡ଼ି ତାଆସ‌ ମଜା,

ମନ ମୋର କାହିଁ ଜମା ବୁଝେନାହିଁ

     ସହରେ ହେବାକୁ ରଜା।


ହେଁସକତରା କି କନ୍ଥାର ବିଚ୍ଛଣା

     ମୋତେ ଦିଏ ସୁଖନିଦ,

ତୂଳିତଳ୍ପ ଶେଜ ବହଳ‌ ରେଜେଇ

     କିସ ପାଇଁ ଲୋଡ଼ା ହେବ ।


ଟିଭି ମୋବାଇଲ ନ ଥିଲେ ନଥାଉ

     ରେଡ଼ିଓ ଖଣ୍ଡେ ମୋ ଅଛି,

ଓଡ଼ିଆ ସଂସ୍କୃତି ପରମ୍ପରା ଯେତେ

      ମନେ ପକାଇ ଦେଉଛି।


କରଞ୍ଜ ସାହାରା ଦାନ୍ତକାଠି ସଙ୍ଗେ

      ଗ‌ଇଁଠା ପାଉଁଶ ଧରି,

ଦାନ୍ତ ଘଷି ବହୁ ଶାନ୍ତି ମୁଁ ପାଉଛି

       ବ୍ରସ୍ ଟୁଥ୍‌ପେଷ୍ଟ ଛାଡ଼ି।


ମୋ ବୋଉର ହାତ ଅମୃତ ପରଶ

       ମୋ ଓଠେ ଫୁଟାଏ ହସ,

ଡାଡି‌ ମମି‌ ଡାକେ ବାରି ହେଉନାହିଁ

       ସ୍ନେହ ମମତାର ବାସ।


ଗାଁ ବିଲ ପାଖ ସୁଲୁସୁଲୁ ବାଆ

        ଦେହ ଶିହରାଇ ଦିଏ,

ମୋ ଗାଁ ଦାଣ୍ଡ ଗୋଧୂଳି ଉଡିଲେ

       ଅଦିନେ ମଳୟ ବହେ।


ସଞ୍ଜ ନ‌ଇଁଗଲେ ଭାଗବତ ପାଠେ

       ଜୀବନ ମୋ ହୁଏ ଧନ୍ୟ,

ନାମ ସଙ୍କୀର୍ତ୍ତନ ମୋକ୍ଷର କାରଣ

        କି ଲାଭ କରି ମେଲଣ ।


ପ୍ରାକୃତିକ ପ୍ରେମ ଶାନ୍ତିର କାରଣ

        କୃତ୍ରିମତା ମାୟାମୟ,

ଆସୁ ଯେତେ ଝଡ଼ ନ ହୁଅ କାତର

‌‌ ଭୁଲିଯାଅ ମାୟା ମୋହ।


ଯଦି ଶରୀରର ଦୁଇଗୋଟି କନ୍ୟା

        ଖୁସି ଓ ଶାନ୍ତି ହୁଅନ୍ତି,

ସୁଖ ଓ ଆନନ୍ଦ ଦୁଇଗୋଟି ପୁଅ

        ହରଷରେ ଖେଳୁଛନ୍ତି।


ଖୁସି ଓ ଶାନ୍ତିକୁ ଆଦର କରିଲେ

       ଦୁଃଖଟି ଦୂରେଇ ଯାଏ ,

ସୁଖ ଆନନ୍ଦକୁ କୋଳେ ବସାଇଲେ

       ହସ ଖାଲି ସୃଷ୍ଟି ହୁଏ। 


ତେଣୁ ଏଇଠାରେ ରହିଛି ମୋ ଶାନ୍ତି

       ଏଇଠି ମୋ ଗତି ମୁକ୍ତି,

ସୁନା ସଂସାର ମୋ ହସୁଥାଏ ସଦା 

       ଭରଷା ରେବତୀ ପତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy