STORYMIRROR

Panchanan Jena

Tragedy Fantasy

4  

Panchanan Jena

Tragedy Fantasy

ସମୟର ଝିମିଟିଖେଳ

ସମୟର ଝିମିଟିଖେଳ

1 min
338


ସମୟ ବି ଲାଗୁଥିଲା

ହାତ ମୁଠାରେ  

ସପନ ବି ଖେଳୁଥିଲା

ଆଖି ଡୋଳାରେ

ଯୌବନ ବି ମହକୁଥିଲା

ମନ ମକରନ୍ଦରେ

ମାତ୍ର ତୁମେ ନ ଥିଲ

ତୁମେ ନଜରକୁ ଆସିନଥିଲ 

ଜୀବନ ସ୍ଵର ବନ୍ଧା ଥିଲା

ଲଗାମହୀନ ଶୂନ୍ୟତାରେ ।


ପଘାରେ ବନ୍ଧା ଛନ୍ଦା

ସଂସାରୀ ଜୀବନ

ପାପୀ ପେଟ ପାଇଁ

ନାଟୁଆ ସାଜୁଛି 

ଦିନକୁ ଦିନ

ଦୁଇ ପ୍ରାଣୀ ଆମେ 

ନଜରବନ୍ଦୀ

ଚାରିକାନ୍ଥର ଚୌହଦୀରେ 

ଜର୍ଜରିତ ଲେଲିହାନ

ଦୁଇ ଚାରି ପଦ

ମିଶ୍ରି ବୋଳା କଥା ହେବାକୁ

ଦେହ କୁ ଦେହ ଲଗେଇ 

ଅଳପ ସଳପ ଗଳପ କରିବାକୁ

ସମୟ କାହିଁ ?

ଲାଗୁଛି ଉଭାନ ସନ୍ଦିହାନ ।


ରୋଗୀଣା ଆମେ 

ଦୁଇ ପ୍ରାଣୀ ଘରେ

ଝିଅକୁ ନେଇଗଲା

ଜ୍ବାଇଁପୁଅ

ଦାଣ୍ଡ ଦୁଲୁକେଇ 

ବର୍ତ୍ତମାନ ଫ୍ଲାଟ କିଣିଛନ୍ତି 

ରାଜଧାନୀ ଦିଲ୍ଲୀରେ

ପୁଅ-ବୋହୁ ବିଦେଶରେ 

ନୂଆ ଠିକଣା ସେଠାରେ

ଗ୍ରୀନକାର୍ଡ଼ କରିଛନ୍ତି

ନାଗରିକ ଆମେରିକାରେ ।


ସମୟ ସରୁନି

ସର୍ବଦା ବଳକା

ଖତେଇ ହେଉଛି 

ଦାନ୍ତ ନେଫେଡି ଜଳକା

ପାଇଲେ ଏକା ଏକା

ଠେଙ୍ଗା ଦେଖଉଛି ସଳଖି

ଛାଇ ଆଲୁଅର ସେହି

ନଇଁ ଆସୁଥିବା ଅନ୍ଧାରିଆ

ବେଳ ପରଖି ।


ଡର ମାଡୁଛି ଆଜି

ଭୂତ କୋଠିରେ

ଆପଣାର ଝାଳ -ନାଳରେ

ଅର୍ଜିତ କୋଠାରେ

ଯେଉଁଠି ସମୟ

କରୁଥିଲା କଳରୋଳ

ପିଲା- ଝିଲାଙ୍କ 

ଝିମିଟି ଖେଳରେ 

ମେଳରେ

ହାସ୍ୟ ରୋଳରେ ।


ସେହି ଶେଷ ଦିନକୁ ଅପେକ୍ଷା

ସମୟ ଥିବ ଅସରନ୍ତି

କାନ୍ଥ ଘଣ୍ଟାରେ ଟିକ୍ ଟିକ୍ ବାଜୁଥିବ

କୋକେଇରେ ମୁଁ ଶୋଇଥିବି

ତୁମେ ଜୁଇନିଆଁରେ ହସୁଥିବ 

ସମୟର ଦାଦାଗିରି ବ୍ୟାପିଥିବ

ଶୂନ୍ୟତାରେ ମିଳୁଥିବ ଶାନ୍ତି ପ୍ରଶାନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy