ସମୟ ରଥ
ସମୟ ରଥ
କେବେ କେବେ ଲାଗେ କିଛି ବଦଳି ଯାଇଛି
କିଛି ନୂଆ ନୂଆ ପରି ଲାଗୁଛି
ତଥାପି କାହିଁକି କେଜାଣି ଏହି ମନ ବୁଝେନା
କରେ କେତେ କେତେ ସିଏ ବାହାନା
କେବେ ଅତୀତକୁ ଫେରିଯାଏ ଭାବରେ ରହି
ଖୋଜେ କିଛି ସ୍ମୃତିକୁ ବ୍ୟାକୁଳ ହୋଇ
ସ୍ମୃତି କହେ ସବୁକିଛି ସାଇତି ରଖିଛି
ହଜିନାହିଁ ତାର ଅତୀତରୁ କିଛି
ଆଉ କହେ ସିଏ ଧୀରେ ଧୀରେ ଆସି
ସମୟର ସ୍ରୋତରେ ଯାଇନି ସିଏ ଭାସି
ସମୟ ତ ବଡ଼ ବଳବାନ ଦିଏନାହିଁ ଧରା
ମାଗେ ନାହିଁ କାହାର କେବେ ସିଏ ଆସରା
କେବେ ସିଏ ପଛକୁ ଫେରି ଆସେ ନାହିଁ
କିନ୍ତୁ ଗଡିଚାଲେ ସିଏ ଆଖିଠାର ଦେଇ
କହିଦିଏ ଚାଲିବାକୁ ସଙ୍ଗେ ସାଙ୍ଗ ହୋଇ
କିନ୍ତୁ କାହାର ଅପେକ୍ଷା ସିଏ କରେ ନାହିଁ
କାହିଁକି ବା କରିବ କାହାର ସିଏ ଅପେକ୍ଷା
ତାକୁ ନିଜ ଧର୍ମକୁ କରିବାକୁ ହେବ ରକ୍ଷା
କିଛି କିଛି ରଚେ ସିଏ ନୂତନ କାହାଣୀ
ଅଜାଣତେ ଘଟିଯାଏ ସବୁ କେମିତି କେଜାଣି
ସମୟର ରଥ ଯେବେ ଗଡି ଗଡି ଚାଲେ
ଯୁଝେ ନାହିଁ କେବେ କାହା ତୁଲେ
ସେହି ସମୟ ରଥରେ କେହି ନଥାଏ ସାରଥୀ
କରେ ନାହିଁ କେବେ କାହାକୁ ସେ ସାଥୀ
ଯଦି କେହି ତାଳ ଦେଇ ଚାଲଇ ସାଥିରେ
ସମୟ ରଥ ନେଇ ଚାଲେ ସାଙ୍ଗରେ
ଅତୀତ ଅଟଇ ସମୟ ରଥର ଅତିକ୍ରାନ୍ତ ରାସ୍ତା
ନବୁଝି ମଣିଷ ହୁଅଇ ବହୁତ ହିନସ୍ତା
ସ୍ମୃତି କିନ୍ତୁ ରହିଥାଏ ସମୟ ରଥ ପଛରେ
ସାଇତି ରଖେ ସବୁକିଛି ନିଜ ହୃଦୟରେ
ସମୟ ରଥକୁ ଛାଡି ଯେବେ କେହି ରହିଯାଏ
ନିଜକୁ ଖାଲି ସିଏ ଅତୀତରେ ହଜାଏ
ଯେବେ ତାର କିଛି ଚେତନା ଜାଗ୍ରତ ହୁଏ
ସମୟ ରଥର ପୁଣି ପିଛା କରିଥାଏ
ସେହି ପିଛା କରୁ କରୁ କିଛି ଦେଖଇ
ରହିଯାଏ ସମୟ ରଥକୁ ଛାଡି ଦେଇ
ଲାଗେ ତାକୁ କିଛି କିଛି ବଦଳି ଯାଇଛି
ଯାହା ସମୟ ରଥ ଛାଡି ଆସିଛି
ଏହି ପରିବର୍ତ୍ତନ ତାକୁ ଆଶ୍ଚର୍ଯ୍ୟ ଚକିତ କରେ
ସମୟ ରଥକୁ ଚାହିଁ ସିଏ ପଚାରେ
କିବା ନିଜକୁ ନିଜେ ସିଏ ପ୍ରଶ୍ନ କରେ
ସମୟ ରଥର ବେଗକୁ ଚିନ୍ତନରେ ଧରେ
ସେଥିପାଇଁ ନୂତନତ୍ୱ କୁ ସିଏ ବୁଝି ପାରେନାହିଁ
ସମୟ ରଥକୁ ଛାଡେ ଅତୀତକୁ ଚାହିଁ
ଭୁଲିଯାଏ ସମୟ ବି ତାକୁ ଦେଇଥିଲା ଆଖିଠାର
ଦୋଷ ନାହିଁ କିଛି ସମୟ ରଥର
ଏହି କଥା ବୁଝିବାରେ କିଛି ବିଳମ୍ବ ହୁଅଇ
ସମୟ ରଥର ଚକ ଗଡି ଚାଲଇ
ଥକିଯାଏ ରହି ଅନେକ ଦୂରରେ ସମୟ ରଥରୁ
ଚିନ୍ତଇ ଅବସର ନେବାକୁ ଜୀବନ ଯାତ୍ରାରୁ
ଯିଏ କିନ୍ତୁ ଚାଲିଥାଏ ସମୟ ରଥ ସଙ୍ଗେ ତାଳ ଦେଇ
ପରିବର୍ତ୍ତନ ସଙ୍ଗେ ତାର ଜୀବନ ସଫଳ ହୁଅଇ
ବୁଝିବାକୁ ହେବ ଏବେ ଏହି କଥା ସଭିଙ୍କୁ
ସମୟ ରଥର ସାଥି କରିବା ନିଜକୁ |