ସମୟ କ୍ରମଶଃ
ସମୟ କ୍ରମଶଃ
ହେ ସମୟ ତୁମେ ଅବଶ କାହିଁକି
ବୟସର ଅପରାହ୍ନେ
ଉତ୍ତାଳ ତରଙ୍ଗ ପ୍ରାୟ ମଥା ପିଟ
ବେଳାବୁକେ ଅନୁକ୍ଷଣେ ।
ଝରୁଥିଲ ଦିନେ ମୋ ଶୈଶବ ଓଠେ
ହୋଇ ସୁମଧୁର ହସ
ସୁନ୍ଦର ପ୍ରଭାତ ସ୍ବର୍ଣିମ କିରଣେ
ଢାଳୁଥିଲ ପ୍ରାଣୋଚ୍ଛ୍ବାସ ।
ତୁମେ ନନ୍ଦନର ସୁବାସ ଚନ୍ଦନ
ମଳୟ ମନ୍ଦ୍ର ପବନ
ଜୀବନ ସଙ୍ଗୀତ ମଧୁର ମୂର୍ଚ୍ଛନା
ତୁମେ ମୋ ହୃଦ ସ୍ପନ୍ଦନ ।
ମଧୁ ଯାମିନୀର ରୂପେଲି ଚନ୍ଦ୍ରମା
ତାରାଫୁଲେ ମାଦକତା
ସପ୍ତରଙ୍ଗ ରସେ ଯଉବନ ସ୍ବପ୍ନେ
ଭରିଥିଲ ଉଦ୍ଦାମତା ।
ଆସିଅଛ କେବେ ହୋଇ ଝଡଝଞ୍ଜା
ବରଷା ଗ୍ରୀଷମ ଶୀତେ
ଅଜଣା ପଥରେ ସାଜି ପ୍ରତିବନ୍ଧ
ଦେଇଅଛ ଶିକ୍ଷା କେତେ ।
ଚାଲିଛି ସଂସାରେ ନିତ୍ଯ ନିରନ୍ତର
ଜୀବନ ଘୋର ସଂଗ୍ରାମ
ଲକ୍ଷ୍ଯ ଚରିତାର୍ଥେ ଜୀବନର ଯାତ୍ରା
ଚାଲିଥିବ ଅବିରାମ ।
ସଦ୍ଭାବନା ଶାନ୍ତି ସହ ଅବସ୍ଥାନେ
ସମାଜେ ସ୍ବଚ୍ଛନ୍ଦ ପ୍ରାଣ
ଲଭିବାକୁ ମୁକ୍ତି ଜୀବନ ଆନନ୍ଦ
ହୁଅ ନାହିଁ ଆଶା ଶୂନ୍ଯ ।
ଜ୍ଞାନ ଅଭିଜ୍ଞତା ନିଜ ବୁଦ୍ଧିମତା
ସୁପ୍ରଚେଷ୍ଟା ସଙ୍କଳ୍ପନା
ଜୀବନକୁ କରେ ସଫଳ ସାର୍ଥକ
ସୃଜେ ନୂଆ ସମ୍ଭାବନା ।