ସ୍ମୃତିର ଝରଣା କୂଳେ
ସ୍ମୃତିର ଝରଣା କୂଳେ
ମୁଁ ଝୁରେ ତୋତେ
ତୁ ଝୁରୁ ମୋତେ
ମନ ଝୁରି ଝୁରି ମରେ
ଆଜି ସ୍ମୃତିର ଝରଣା କୂଳେ
ଯହିଁ ସତର୍କ ଅତୀତ ରହେ
ସାତ ଥାକ ପଙ୍କ ତଳେ l
ସ୍ମୃତିର ଝରଣାରେ ତୁମେ ଥିଲ
ଝର ଝର ସୁଅଟିଏ
ମୁଁ ପତରର ଚଞ୍ଚଳ ଭାସଟିଏ
ଭାସି ଆସିଥିଲି କେତେ ସରାଗରେ
ଜାଗାଟିଏ ପାଇବାକୁ
ତୁମ ଚହଲା ହୃଦୟ କୋଳେ l
ତୁମେ ମିଶିଗଲ ଯାଇ
ନିର୍ଝରିଣୀ ନଈ ଜଳେ
ଫିଙ୍ଗିଦେଲ ମୋତେ ନେଇ
ସଙ୍ଗମର ପଟୁ ତଳେ
ରହିଗଲି ଚାପି ହୋଇ
ବନିଗଲି ସ୍ମୃତିର ଜୀବାସ୍ମଟିଏ l
ସାଙ୍ଗ ହୋଇ ଯଦି
ଆଉ ଟିକେ ଭାସିଥା'ନ୍ତେ
ମିଶିଥାନ୍ତେ ଯାଇ ସମୁଦ୍ରର ସଲିଳରେ
ରହିଥାନ୍ତ ତୁମେ ପ୍ରୀତିର ମୁକୁତା ହୋଇ
ମୋ ହୃଦୟ ଶାମୁକା ଗର୍ଭେ l
ହାତଥାପି ପାଦମାପି
ତୁମ ସହ ଭାସିଥିଲି ଯେତେଦିନ
କାଳ କାଳ ପାଈଁ ରହିଗଲା ସବୁ
ସ୍ମୃତିର ପଣତ ତଳେ l
ମୁଁ ଝୁରେ ତୋତେ
ତୁ ଝୁରୁ ମୋତେ ସତେ,
ଖାଲି ମନ ଝୁରି ଝୁରି ମରେ
ସେହି ସ୍ମୃତିର ଝରଣା କୂଳେ
ସ୍ମୃତିର ଝରଣା କୂଳେ l