ଖିଅ
ଖିଅ
ଫୁଲରେ ଫୁଲଟି ଗୁନ୍ଥି ହୋଇଗଲେ
ଫୁଲମାଳଟିଏ ହୁଏ,
ମହାବାହୁଙ୍କର ଅଧର ଚୁମାରେ
ଆଜ୍ଞାମାଳଟିଏ ହୋଇ
ଭାବେ ଭକ୍ତଙ୍କ କଡ଼ିକୁ ଯୋଡେ l
ମନ ସହ ଯେବେ ମିଶିଯାଏ ମନ
ପୀରତିର ଗଣ୍ଠି ପଡେ,
ଦୁଇ ହୃଦୟର ଗହନ ବନରେ
ପ୍ରଣୟ ପବନ ବୋହି
ମନ ପକ୍ଷୀଟିଏ ଉଡେ l
ଓଠରେ ଓଠ ଛୁଆଁଟିଏ ଦେଲେ
ଦେହେ ଶିହରଣ ଦୋଳି ଖେଳେ....,
ସେ ଦୋଳିରେ ଉଡି ରସ ଗୀତଗାଈ
ମନ ପାରିଜାତ ଘୋଡା ଚଢେ.....,
ପ୍ରେମ ରାଇଜରେ ବୁଲେ l
ହାତ ହାତ ମିଶି ଦୁଇହାତ ହେଲେ
ହସ୍ତ ଗଣ୍ଠିଟିଏ ପଡେ,
ବିବାହ ବେଦିରେ ସଭିଙ୍କ ଆଶିଷେ
ନୂଆ ସଂସାର ଜନମ ନିଏ.......,
ତାକୁ ମୁଣ୍ଡରେ ମୁଣ୍ଡେଇ ଚାଲେ l
ଖନା ଖନା ପାଟି ଦର ଦର ଚାଲି
ଝୁଣ୍ଟି ପଡେ ଯେବେ ତଳେ,
ନନାଙ୍କ ଧୈର୍ଯ୍ୟର ହାତଟି ବଢ଼ି
ବିଶ୍ୱାସର ସେତୁ ଯୋଡେ ,
ପଡିଉଠି ପୁଣି ଆଗକୁ ଆଗକୁ ବଢେ l
ବିଶ୍ୱାସର ବନ୍ଧ ଯେବେ ଭାଙ୍ଗି ଯାଏ
ବନ୍ଧୁ ବଇରୀର ରୁପନିଏ,
ମାଟିଖେଳ ସାଥି କରିଦେଇ ପର
ଭୀଷ୍ମପର୍ବର ରଚନା କରେ
ଜ୍ଞ୍ୟାତି କୁଟୁମ୍ବଙ୍କ ମୁଣ୍ଡ ଗଡେ l
ନିଶ୍ୱାସ ଦଉଡି ଯେବେ ଛିଣ୍ଡିଯାଏ
ପ୍ରାଣ ବାୟୁ ଉଡ଼ିଯାଏ,
ଦେହେ ମୃତ୍ୟୁ ଆସ୍ତରଣ ବୋଳି
ଜଡ଼ ଶରୀରକୁ ଛାଡେ...... ,
ଖୋଜି ନୂଆ ଜରାୟୁରେ ପଶେ ...,
ସଜ ପ୍ରାଣର ସ୍ଫୁରଣ ହୁଏ l
