STORYMIRROR

Deepak Kumar Mishra

Tragedy

3  

Deepak Kumar Mishra

Tragedy

ବାୟାଣୀ ମୃଗୁଣୀ

ବାୟାଣୀ ମୃଗୁଣୀ

1 min
230

ବେଳ ରତରତ ଭ୍ରମେ ଚଳଚଳ 

ନିକାଞ୍ଚନ ବନେ ବୁଲୁ ତୁ ଚଞ୍ଚଳା ମୃଗୁଣୀ,

ଚତୁର୍ଦୀଗେ ଖୋଜୁ ଆଜି ସ୍ନେହ ପ୍ରେମ ବାରବୁଲି ପରି

କିନ୍ତୁ ଭୁଲିଛୁ ନିଜ ନାଭିରେ ଯେ

ଧରିଛୁ ଦୁର୍ଲଭ କସ୍ତୁରୀ l 

କାହିଁକି ବାରଦ୍ୱାର ଶୁଣ୍ଢୀପିଣ୍ଡା

ହେଉଛୁ ମୃଗୁଣୀ

ଧ୍ୟାନ କରଯାଇ ଈଶ୍ୱରେ ଈଶ୍ୱରୀ

ପାଇବୁ ମୋକ୍ଷ ତୁହି ଦିନେରେ ବାୟାଣୀ

କାହିଁକି ଇତସ୍ତତଃ ଧାଉଁଛୁ ଚଟକି । 

ଗର୍ଭରେ ଯାହାକୁ ଧରିଲୁ ଦଶମାସ ଦଶଦିନ

କାଟିଲୁ ଏକବିଂଶ ଦିନ ଅସନା

ଏନ୍ତୁଡ଼ିର ଶାଳେ, 

ଯା’ ପାଇଁ ତୁ ଦିନ ଦିନ ଖାଇଲୁ ବାଇଗଣ ପଥି ସହ

ଲାଉର ତିଅଣ,

ଆଉ ବଢ଼ାଇଲୁ ସ୍ତନାରେ ଅମୃତ 

ସେହିତ ମାରିଲା ଦିନେ ତୋ' ଗର୍ଭରେ ଯେ ନାତ l 

ଭାବିଥୁଲୁ ହେବ ଦିନେ

ସିଏ ତୋ ଗଳାର ମାଳି, ଅନ୍ଧର ଲଉଡ଼ି, 

ବାହୁରେ କବଚ ଆଉ ବୁଢାଦିନେ

ହାତର ବଙ୍କୁଲି ସହ ଆଖିର ଚଷମା,

ପଢିବ ତୋ' ପାଇଁ ଯେ ଭାଗବତ ଗୀତା,

ଭୁଲିଗଲା ବଡ଼ହୋଇ ସେ ନାନା ବାୟାଗୀତ

ଜହ୍ନ ତୋଳା ଭୁଲ୍ ଭାଲ୍ ଛନ୍ଦ,

ଖୁଆଇବା ବେଳେ କେତେ ଆଳ 

କେତେ ମିଛ କହିଛୁ ମୃଗୁଣୀ,

ସବୁ ତୋର ମିଛ ସତହୁଏ ଆଜି 

ଯେବେ ସ୍ଵ ଔରସରୁ ଜନ୍ମି ଜହ୍ନ ରହେ 

ସୁଦୂର ଆକାଶେ

ଆଉ ସେ ସରଗ ଶଶୀର ଛାଇ ଦେଖାଯାଏ

ଅତଳ ସାତତାଳ ସମୁଦ୍ର ବକ୍ଷରେ । 

ଅପେକ୍ଷାରତ ତୋର ମୃତ୍ୟୁ ପାଇଁ ସଭିଏଁ ମୃଗୁଣୀ,

କାଟିବାକୁ ଅଯତ୍ନ ହୋଇ

ଭାଗବଣ୍ଟାର ଛୁରୀ କରତରେ 

ବଞ୍ଚିଥିବା ନାଭିରେ ସେହି ଅମୂଲ୍ୟ କସ୍ତୁରୀ

ଯେବେ ତୁ ଛଟପଟ ହେଉଥିବୁ ମୃତ୍ୟୁର ଶେଷ ବିଛଣାରେ । 

ମୋହ ମାୟା ମୁକ୍ତ ଏବେ ହୋଇଯା ମୃଗୁଣୀ,

ମୋର ମୋର ବୋଲି ଦୁନିଆରେ

କିଛି ନାହିଁରେ ପାଗଳି ,

ଧରଯାଇ ଏବେ ଶୀଘ୍ର ମୋକ୍ଷର ରୁଦ୍ରାକ୍ଷ

ଜପକର ନିତି ଈଶ୍ୱରେ ଈଶ୍ୱରେ

ଲଙ୍ଘିବୁ ତୁ ତେବେ ଜନ୍ମମୃତ୍ୟୁର ଗୋଲକ  

ହେବୁ ନିଶ୍ଚେ ତୁ ମହାବ୍ରହ୍ମରେ ବିଲୟ l

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy