ଉତ୍ତପ୍ତ ଫୁଲ
ଉତ୍ତପ୍ତ ଫୁଲ
ମୁଁ.......
ବର୍ଷ ବର୍ଷ ଧରି ଅବଦଳା ମାଟିରେ ଲଗା
ସିମେଣ୍ଟ କୁଣ୍ଡରେ ଚିର ସଂଘର୍ଷରତ ,
ସହରୀଘରର କଂକ୍ରିଟ ଛାତର ଛାତ ବଗିଚାରେ
ହନ୍ତସନ୍ତରେ ସନ୍ତୁଳି ହୋଇ ବଂଚୁଥିବା
ଅଧା ଗଢ଼ା ଗଛରେ
ଓହଳା ଫୁଲଟିଏ.... l
ଜାବୁଡି ଧରିଛି ଦୂଷିତ କଣାରେ ଭରା କାକର ନେସାର ଅଠା
ମୋ ପାଖୁଡା ଗୁଡିକୁ
ଏହି କୁହୁଡି ଭରା ବିଷର୍ଣ ସକାଳେ,
ନାହିଁ ମାଦକତାର ଢଳ ଢଳ ଚାହାଣି
ନା ଅଛି ମାଧୁର୍ଯ୍ୟତାର ପ୍ରବଣତା ,
ସହରୀ କୃତିମତାର ରଙ୍ଗ ଆହୁରି କୃତିମ ହେଲାଣି ମୋ ପାଖୁଡା ଗୁଡିକରେ l
ଦେହରେ ଭଅଁରର ଚୁମ୍ବନ ଚୁଭନ ମୋ ପାଈଁ କେବଳ ସ୍ବପ୍ନ,
ପିଚୁବୋଳା କଳା ମିଚମିଚ ଟାଣ ଭୂଇଁରୁ
ମାଟିର ବାସ୍ନା କେବେ ସମ୍ଭବ ?
ଛାତ ଟାଙ୍କିର ଜମାଥିବା ଉତ୍ତପ୍ତ ଜଳରେ ମୁଁ ସିଞ୍ଚିତା ,
ନାହିଁ ମୋ ଦେହରେ ଶୀତଳର କୋମଳତା
ନା ଅଛି ସୌନ୍ଦର୍ଯ୍ୟର ଶୀତଳତା,
ଇର୍ଷାକରେ ଦେଖି ବଗିଚାର କାଗଜଫୁଲକୁ....
ସୁରଭି ନଥିଲେ ବି ଫୁଲର ଫୁଲପଣିଆ ତ' ତା' ପାଖରେ ଅଛି ନା !
ଗୋଟେ ଓଠଚିରା ହସରେ ଲଦା ଜବରଦସ୍ତିଆ ଜୀବନ ମୋର
ନାହିଁ ଯେଉଁଥିରେ ସ୍ୱତଃପ୍ରବାହର ସ୍ୱର,
ମୋର ଶୈଶବ ନାହିଁ.....
ମୁଁ ଦେଖିନାହିଁ ବାଲ୍ୟକାଳ କି କୈଶୋର
ଯୌବନେ ଜନ୍ମିତା ନେନ୍ଥା ଭିତରୁ ଫୁଲଟିଏ ମୁଁ...
ଆଜନ୍ମ ଦୁଃଖରେ ସନ୍ତୁଳିହେଉଥିବା ଦୁଃଖୀନି ଟିଏ ,
ଜନ୍ମ ମୋ ଯୌବନରେ ମୃତ୍ୟୁବି ଯୌବନରେ,
ନର୍ସରୀକୁଣ୍ଡରୁ ଜନ୍ମ ମୋର ମୃତ୍ୟୁ ଛାତର ଉତ୍ତପ୍ତ ଛାତିରେ.....
ସତେ ଯେମିତି ଯାଜ୍ଞସେନୀଟିଏ.... l
ଫୁଲହୋଇ ଜନମିଛି , ଖତ ହୋଇ ମିଶିବି
ଦିନେ ମୋରି କୁଣ୍ଡରେ
ଯନ୍ତ୍ରଣା ମୋ ପୁନଃ ପ୍ରସ୍ପୁଟିତ ହେବ
ମୋ ପରି ଆଉ ଏକ ଫୁଲର ପାଖୁଡା ଭିତରେl
