STORYMIRROR

Deepak Kumar Mishra

Romance

4  

Deepak Kumar Mishra

Romance

ସ୍ମୃତି ସ୍ମୃତିରେ ହୋଲି

ସ୍ମୃତି ସ୍ମୃତିରେ ହୋଲି

1 min
285


ଖେଳିବି ବୋଲି ପ୍ରୀତିରଙ୍ଗ ହୋଲି

ନଳୀ ବାଉଁଶରେ ପିଚକାରୀ ଖଣ୍ଡେ ନିଜେ ଗଢିଥିଲି ମୁଁ,

ଶାଳଗଛଟିରୁ ସରୁଆ କେନାଟି କାଟି

ଛିଣ୍ଡା କନା ବାନ୍ଧି ଚାପ ଦେଇ ଦେଇ

ଶରଗିଫୁଲର ଗାଢ଼ ନାଲି ସିଝା ପାଣି

ତୋତେ ମାରିଥିଲି ମୁଁ ,

ସେ ନାଲି ପାଣିରେ ଥିଲା କି' ମହୁଲି ନିଶା ଲୋ....

ଆଜି ଯାଏଁ ତୁ ମୋତେ ଝୁରିଝୁରି ଅଛୁ l


ହୋଲି ରଙ୍ଗପାଣି ଯେବେ ଗଲା ଚଢି

ତୋ ତୋଫା ଗୋରା ବଦନେ,

ଓଦା ମୁଣ୍ଡ ବାଳ ରଙ୍ଗେ ସରସର

ମାରିଲା ଭରା ଲହଡି

ତୋ ଚମ୍ପା କଢି ଫୁଟା ମୁହେଁ ,

ସତେ ଲୋ ହୁଣ୍ଡୀ .....

ବିନା ବରଷାରେ ତୋ' ଗୋରା ଦେହରେ ମାଡି ଆସିଥିଲା ନଈବଢି l


ସେ ନଈ ବଢ଼ିର ତରଙ୍ଗ ରଙ୍ଗରେ

ଭାସି ଭାସି ଗଲି ମୁହିଁ,

ତୁମ ବାରିପଟ କୂଳରେ ଲାଗିଲି

ତୁଠ ପଥରରେ ଭରାଦେଇ,

ତୁମେ ଛାଡିଥିବା ଅଳ୍ପ ପାଦରଙ୍ଗ ଆଣି

ଭାରୀ ଯତନରେ ସ୍ମୃତି ଫରୁଆରେ

ସାଇତି ରଖିଛି ଆଜି,

ଲାଜେ ସରମ ତାଲା ପକାଇ l

ହୋଲି ଦିନଟିରେ ଆଜି ଏ ବୟସେ

ଯେବେ ଫରୁଆକୁ ଖୋଲି ଦେଖେ,

ରଙ୍ଗ ମଖା ତୋର ସେହି ଗୋରା ଦେହ

ଝାପସା ସ୍ମୃତି ତଳୁ ଲାଜେଇ ଲାଜେଇ

ମୋ ଗତିକି ଧାଇଁ ଆସେ,

ସାଇତା ରଙ୍ଗରୁ ରଙ୍ଗଟିକେ ନେଇ

ପୁଣି ପୀରତିର ରଙ୍ଗ ଖେଳେ

ମୋ' ଭିଜା ସ୍ମୃତିର ରଙ୍ଗୀନ ଆରସୀ ତଳେ l


ଶୁଭ ହୋଲି କହି ତୋତେ ଆଲିଙ୍ଗନ

ଟିକେ କରେ,

ତୋ ଆଲିଙ୍ଗନ ଟିକେ ପାଇଲା ବେଳକୁ

ସ୍ମୃତି ରଙ୍ଗ ଉଡିଯାଏ,

ଖାଲି ରହିଯାଏ ଫାଙ୍କା ଫରୁଆ

ମୋ ରଙ୍ଗବୋଳା ହୃଦୟରେ

ରହିଲି ବିରହେ ଆର ବରଷକୁ

ଆଉ ଏକ ହୋଲି ଅପେକ୍ଷାରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance