STORYMIRROR

Deepak Kumar Mishra

Romance

4  

Deepak Kumar Mishra

Romance

ବୟସ ଫଗୁଣର ପ୍ରଥମ ଚିଠି

ବୟସ ଫଗୁଣର ପ୍ରଥମ ଚିଠି

1 min
418


ଚଢ଼ିଥିଲା ପ୍ରଥମେ ଯେବେ ମୋ ଦେହରେ

ବୟସର ରଙ୍ଗ

ଉଠିଥିଲା ମନରେ ଫଗୁ ବୋଳା ଫଗୁଣ ତରଙ୍ଗ, 

ତୁମ ପ୍ରତି ଥିବା ମୋର ଫିକା ଫିକା ପଢୁଆଁ ପସନ୍ଦ

ରଙ୍ଗିନ୍ ଆସକ୍ତି ଅବିର ମାଖିବା ଆଗରୁ,

ଦେଇଥିଲି ତୁମକୁ ପ୍ରଥମ ପ୍ରଣୟର ମୋର 

ପ୍ରଥମ ଚିଠି......,

ଗାଁ ନଈକୁ ଗଡ଼ିଥିବା ଗଡାଣିଆ

ରାସ୍ତା କଡ଼ ଜାମୁଗଛ ତଳେ

ଯେଉଁଠି ତୁମ ଗାଁ'ର ସିଧା ରାସ୍ତା ଆସି ମିଶେ

ଆମ ଗାଁ ଛକ ମେଳଣ ପଡିଆର

ପୂର୍ବ ବୁଲାଣି ପାଖରେ l 


ନ ଥିଲା ସେ ଚିଠିରେ ପ୍ରେମର

ଆବେଗ ଆରମ୍ଭ  

ନା ଥିଲା କିଛି କମା ପୂର୍ଣ୍ଣଚ୍ଛେଦ

ନ ଥିଲା ବି ସେଥିରେ ପ୍ରୀତିରଙ୍ଗ ଭରା 

ସୌଜନ୍ୟତା ଇତି, 

କେବଳ ଲେଖିଥିଲି ତିନି ପଦ କଥା

ଆଙ୍ଗୁଠି କଲମରେ, ଫଗୁର ରଙ୍ଗରେ 

ମୋ ହୃଦୟ ଉତାରି...l 


ତା' ପରର ପ୍ରଥମ ଦେଖାରେ......

ନା ତୁମ ଚାହାଣିରେ, ନା ଓଠର ଠାରରେ,

ନା ତୁମ ପାଦର ବୁଢା ଆଙ୍ଗୁଠି ଟାଣିଥିବା ମାଟିର ଗାରରେ

ଥିଲା ମୋ ପ୍ରଥମ ଚିଠିର ପ୍ରଥମ ଉତ୍ତର...,

ଫେରିଲା ବେଳେ ତୁମ ପଛକୁ

ଫେରି ଚାହିଁବାର ଠାଣି ହୋଇପାରେ କି' ଉତ୍ତର...!

ଯାହା ଆଜି ବି ଅଛି ଘୋର ସନ୍ଦେହ ଘେରରେ l 


ବୟସର ବାକି ଫଗୁ ଉଡିବା ଆଗରୁ 

ଆଜିବି ହୃଦୟ ଅପେକ୍ଷିତ

ପାଇବାକୁ ତୁମ ଉତ୍ତର ଚିଠିକୁ...,

ନିତି ଶୁଣିବାକୁ ପଡେ 

କାନପାତି ଡା଼କର ଡାକରା.....

ଆଜି ପୁଣି ଏଇ ଜୀବନରେ

ମେଘରେ ଢଙ୍କା

ଫିକା ଫଗୁଣର ଅପରାହ୍ନ ତଳେ...... l 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance