ସ୍ମୃତି-2
ସ୍ମୃତି-2
ଭଙ୍ଗା ନାଆଟି ଏକା ବସିଛି,
କେଜାଣି କେବେଠୁଁ, ଲହଡ଼ିକୁ ଚାହିଁ,
ଦେହରେ ଆବରଣ ଶିଉଳିର,
ସୁସଜ୍ଜିତ ମୃତ ଶାମୁକାକରେ
ଅଦୂରରେ ନୀଳିମା ସାଗରର,
ଆଉ ସ୍ବପ୍ନ ଦିଗବଳୟର I
ଝଡ ବତାଶକୁ ସହି,
କୂଳକୁ ଆସିବାର ସଂଗ୍ରାମ,
ଆଜି ମଧ୍ୟ ସତେଜ ତାହାର ଅଙ୍ଗରେ,
କିନ୍ତୁ ଆଜି ସେ ମାନେ କରେ ନିଜକୁ,
ନିଃସହାୟ ଆଉ ଏକାନ୍ତ !
ସତରେ କଣ ଯାତ୍ରାର ଅନ୍ତ ହୁଏ,
କୂଳକୁ ପାଇଗଲେ?
ଅଥବା ଯାତ୍ରଟିଏ ସାଜି ପାରେ,
ଜୀବନର ଶେଷ ଯାତ୍ରା ?
ତଟର ଆଶ୍ରୟ ହିଁ କଣ ନାଆର ,
ଏକ ମାତ୍ର ସ୍ଵପ୍ନ ?
କାହିଁକି ସତେଜ ଆଜି ମଧ୍ୟ,
ଉର୍ମିର ଛାତିରେ ଦୋହଲିବାର ରୋମାଞ୍ଚ ?
ସତରେ କଣ ମଧୁଶଯ୍ୟାରେ,
ପ୍ରେମିକାକୁ ପାଇ ସରିଯାଏ,
ଯୌବନର ସ୍ଵପ୍ନ ସବୁ?
କୂଳରେ ଲାଗି କଣ ଆକୁଳ ହୁଏ,
ପ୍ରତ୍ୟେକ ନାଆ,
ଦିନେ ନ ଦିନେ,
ଫେରିବାକୁ ପୁଣି ପ୍ରେମର ସାଗରକୁ,
କରିବାକୁ ସଂଘର୍ଷ ପୁନଃ ପ୍ରେମ ପାଇଁ,
ଅତୀତକୁ ବର୍ତ୍ତମାନରେ ରଖିବାକୁ,
ପ୍ରେମକୁ ସ୍ମୃତି କରି,
ଅତୀତକୁ ନ ଠେଲି ଦେବାକୁ ?

