ସମାଧି
ସମାଧି
ଗାଁ ମଶାଣିରେ ଜୁଇ ଜଳିଯିବ
ସାଜିବିମୁଠେ ପାଉଁଶ
ପାଉଁଶ ତଳେ ବି ଥାଇ ଝୁରୁଥିବି
ତୁମରି ମିଠା ପରସ ।
କେଉଁ ଦିନ ଯଦି ବାଟଭୁଲି ତୁମେ
ସେଇ ବାଟେ ଯାଉଥିବ
ମୋ ସମାଧି ଆଡ଼େ ଟିକେ ଚାହିଁ ମୋତେ
ଦୁଇ ଟୋପା ଲୁହ ଦେବ ।
ଏ ଜନ୍ମରେ ସିନା ତୁମକୁ ଆଉ ମୁଁ
ପାରିବିନି କେବେ ଛୁଇଁ
ତୁମ ଲୁହ ଯେବେ ସମାଧି ଛୁଇଁବ
ପାଉଁଶୁ ଉଠିବି ଚେଇଁ ।
ଦେଖି ପାରିବନି ତୁମେ ସିନା ମୋତେ
ତୁମକୁ ମୁଁ ଦେଖୁଥିବି
ମନ ଭରି ଆମ ପୁରୁଣା ସ୍ମୃତି କୁ
ମନେ ମନେ ଭାବି ଭାବି ।
ମୋ କଥାକୁ ଭାବି କାନ୍ଦିବନି ଜମା
ରାଣ ମୁଁ ଯାଉଛି ଦେଇ
ମୋ ଛବିକୁ ଦେଖି କୋହେ ଭିଜିବନି
ଆଖିର ଲୁହ ଲୁଚାଇ ।
ଝୁରିବନି ଜମା ମୋ ଆଦର ଯତ୍ନ
ଢାଳିବନି ଲୁହ ଧାର
ଭୁଲି ଯିବ ନାହିଁ ଚାଲି ଯାଉଛି ମୁଁ
ତୁମଠୁ ଅନେକ ଦୂର ।