ଶୂନ୍ୟତାର ଜୀବନ
ଶୂନ୍ୟତାର ଜୀବନ
ଚାରିଆଡେ ହା ହା କା ର
କରୋନାର ଅବାଧ ପ୍ରବେଶ
ଶଙ୍କିତ ହୃଦୟ ପ୍ରାଣ ।
କର୍ମହରା ଭୋକିଲା ପେଟର ତାଡନା
ସ୍ୱପ୍ନିଳ ଆଖିରେ
ଅବଶୋଷ ଓ ନିରାଶର ଚିତ୍ର ।
ମୁଁ
ଶୂନ୍ୟତା ଭିତରେ ହନ୍ତସନ୍ତ ଜୀବନଟିଏ
ଚାରିକାନ୍ଥ ଆବଦ୍ଧ
ଘରଭିତରେ ବନ୍ଦୀଟିଏ ।
ନାନା ଦ୍ବନ୍ଦ୍ୱ ଆଉ ଆଶା ଭିତରେ
ଘାଣ୍ଟି ହେଉଥିବା ମଣିଷଟିଏ ।
ଦିନର ସୂର୍ଯ୍ୟାଲୋକ
ରାତ୍ରିର ଚନ୍ଦ୍ର ଜ୍ୟୋତ୍ସ୍ନା
ବଦଳାଇ ପାରେନା ମୋର ମାନସିକ ଚାପକୁ
ଆତ୍ମୀୟଠାରୁ ଦୂରରେଥିବା ଦୁଃଖକୁ
ଉପରିସ୍ଥ ଅଧିକାରୀଙ୍କ
ନିଷ୍ପତ୍ତିକୁ ।
ସ୍ମୃତିକୁ ସାଉଁଟି ଓଠରେ ମାଖିନିଏ ହସ
ପରିସ୍ଥିତିକୁ ନେଇ ହୋଇଯାଏ ଦୁଃଖୀ
ହଜାଇଦିଏ କିଛି କ୍ଷଣ ନିଜକୁ
ନିଜ ଭାବନା ଭିତରେ
ନିଜ ସ୍ୱପ୍ନ ଭିତରେ ।
ନିଜ ନିତିଦିନିଆ କର୍ମରେ
ଲାଭକରେ ଆଶ୍ୱସ୍ତ
ନିଜକୁ ଭୁଲେଇନିଏ
ବିବିଧ ସାଧନ ମଧ୍ୟରେ ।
ଆନନ୍ଦ ପାଏ ଆତ୍ମୀୟଙ୍କ ଦୁଇପଦ
ମିଠା ବାର୍ତ୍ତାଳାପରେ ।
ଦୁର୍ବଳ ନୁହେଁ ମୁଁ
ନୁହେଁ ଧୈର୍ଯ୍ୟହରା
ଶୂନ୍ୟତାକୁ କରେନା ଖାତିର ।
ପ୍ରତି ମୁହୂର୍ତ୍ତରେ
ପ୍ରୟାସରେ ମଗ୍ନ ଆଶାୟୀ ମନଟିଏ ।
ସମୟ ନିଷ୍ଠୁର ହୋଇପାରେ
କିନ୍ତୁ ସ୍ଥାୟୀ ନୁହେଁ
ପରିବର୍ତ୍ତନର ସୁନ୍ଦର ଆଶାଟିଏ
ମୋ ଚାରିପାଖରେ ଘେରିଯାଇ
ମନରେ ଭରିଦିଅନ୍ତି ଉତ୍ସାହ ।
ଶୂନ୍ୟତାର ଜୀବନ
କେବଳ ଅନୁଭବଟିଏ
ଦୁଃଖ ଆଉ ଅବସାଦର
କରୁଣ କାହାଣୀଟିଏ ।
ଶୂନ୍ୟତାର
ଆତ୍ମଲିପି ଅଙ୍କିପାରେନା
ଶବ୍ଦରେ
ଦର୍ଶାଇପାରେନା ଚିତ୍ରରେ
ବୁଝାଇପାରେନା ଭାବରେ ।