ଶରତ ଆସିଛି ମରତେ ଫେରି
ଶରତ ଆସିଛି ମରତେ ଫେରି
ଅପୂର୍ବ ଶୋଭାର ଭଣ୍ଡାର ଧରି ।
ଶରତ ଆସିଛି ମରତେ ଫେରି ॥୧॥
ବରଷେ ବରଷେ ସଦା ସେ ଆସେ
ପ୍ରେମୀ ପ୍ରେମାସ୍ପଦ ମାନସ ତୋଷେ ॥୨॥
ବରଷା ରାଣୀ ନେଇଛି ବିଦାୟ ।
ସୁନୀଳ ଆକାଶ କି ରମଣୀୟ ॥୩॥
ଦିବ୍ୟ ଜ୍ୟୋତି ଏବେ ହେଲା ଉଦିତ ।
ତରୁଲତା ପୁଷ୍ପେ ହେଲେ ଶୋଭିତ ॥୪॥
ସୁନୀଳ ଶରତ ତୋଷୁଛି ଚିତ୍ତ ।
ଧରା କି ଅବା ହୋଇଛି ଜାଗ୍ରତ ॥୫॥
ତପ ଶେଷରେ କିବା ବ୍ରହ୍ମଚାରୀ ।
ଉଭା ଆପଣେ ଦିବ୍ଯ ତେଜ ଧରି ॥୬॥
ନଈପଠାରେ କାଶତଣ୍ଡୀ ଫୁଲ ।
ବଳାହକ ଧାଡି କି ମାଳ ମାଳ ॥୭॥
ଦୋଳାୟମାନ ହୁଅନ୍ତି ସହଜେ ।
ଉଡି ନପାରି ରହୁଛନ୍ତି ଲାଜେ ॥୮॥
ସବୁଜିମା ଭରା ଜଗତ ସାରା ।
ସତେକି ସ୍ବାଗତ କରୁଛି ଧରା ॥୯॥
ମହାମାୟା ଆଗମନୀ ବାରତା ।
ଆଣିଛି ଶରତ ଦିଏ ବାରତା .॥୧୦॥
ଚାନ୍ଦିନୀ ରାତିରେ ଅମୃତ ଝରେ ।
ସରଗ ସୁଖ ମିଳେ ମରତରେ ॥ ୧୧॥
କି ସୁନ୍ଦର ଧରା ଗଢି ବିନ୍ଧାଣୀ ।
କି ରୂପରେ ତାକୁ ପାଳୁଛି ପୁଣି ॥୧୨॥
ଦଣ୍ଡ ପରେ ଦଣ୍ଡ ଦିନ ଉତ୍ତାରେ ।
ରାତି ମାସ ଋତୁ ବର୍ଷ ସଞ୍ଚରେ ॥୧୩॥
ମାଆ ଆସିଛନ୍ତି ଧରାକୁ ବୋଲି ।
ଆନନ୍ଦେ ନାଚୁଛି ଶରତ ଖାଲି ॥୧୪॥
ସବୁ ବରଷ ସେ ଏପରି ଆସି ।
ଆହ୍ଲାଦିତ କରେ ଜଗତବାସୀ ॥୧୫॥
