ସହରୀ ଭାଉଜଙ୍କ କଥା
ସହରୀ ଭାଉଜଙ୍କ କଥା
ସହରୀ ଭାଉଜ ଡାକନ୍ତି କାଜଲ
ଗାଆଁକୁ ଆସନ୍ତି ଯେବେ
ଦେଖାନ୍ତି ଅନେକ ନୂତନ ଭେଳିକି
ବଖାଣିଲେ ନ ସରିବେ ।
ମାଡିଲେ ଗୋବର ରାଗ ଫଣଫଣ
ଘୃଣାରେ ଟେକନ୍ତି ନାକ
ଛେନାରୁ ଚୋପାବି ଅଲଗା କରନ୍ତି
କଥା ବଡ଼ କାମେ ଜୋକ ।
ଲାଖିଯାଏ କାଳେ ତଣ୍ଟିରେ ତାଙ୍କର
ପରିବା ପତଳା ଚୋପା
ଗଳେ ନାହିଁ ଭାତ ଗୋଟିଏ ଗୁଣ୍ଡିଏ
ହୁଏ ଯଦି ଟାଣ ମୋଟା ।
ଛଡାହେବ ଅଧା ପରିବାରୁ ଚୋପା
ସିଝି ହୋଇଥିବ ଝୋଳ
କାଠ କାଠ ଡାଲି ଖାଦ୍ୟ ସିଟିମିଠି
ଅରୁଆ ସରୁ ଚାଉଳ ।
ମାଛ ଆଇଁଷକୁ ଅଧିକ ମୁଆଁସ
ତିଥିବାର ନ ମାନନ୍ତି
କଣ୍ଟାକୁ ଚୋବାଇ ହାଡ଼ କଡ଼ମଡ଼
ଭାଙ୍ଗି ରସ ଚୁଚୁମନ୍ତି ।
ଚୋପାକୁ ଅଲଗା ଭାଜନ୍ତି ତେଲରେ
ମସଲା ମିଶାଇ ପେଷି
ଚଟଣିଟା ଭଲ ଲାଗେ ମଜାଦାର
କହନ୍ତି ମୁରୁକି ହସି ।
ଗାଆଁ ମଫସଲେ ନଣନ୍ଦ ଦିଅର
କରିଥାନ୍ତି ଥଟ୍ଟା ମଜା
ଆଲୁଅରେ ଅବା ଖାଅ ଅନ୍ଧାରୁଆ
ଗୁଡ଼ର ସୁଆଦ ମିଠା ।
କଚାଡନ୍ତି ଗୋଡ଼ କାଜଲ ଭାଉଜ
କହନ୍ତି ଫାଜିଲ ଚଣ୍ଡି
ଆଖି ଢିମା କରି ଚୋବାନ୍ତି ଇ°ରାଜୀ
ମୁହଁ ଧାନ ଉଁଷା ହାଣ୍ଡି ।
ଦେଖେଇ ହୁଅନ୍ତି ଧୋବ ଫରଫର
ବାହାରକୁ ହାତୀଦାନ୍ତ
ଦିଅନ୍ତିନି ଟିକେ ମଳି ବି ଦେହରୁ
ଦେଖନ୍ତି ନିଜର ସ୍ୱାର୍ଥ ।
