ଶ୍ରାବଣୀ ଆଖିରେ ଲୁହ
ଶ୍ରାବଣୀ ଆଖିରେ ଲୁହ
କେତେ ଆଶା ନେଇ ଆସିଥିଲା ଧରା
ଭିଜାଇ ଦେବାକୁ ଧରଣୀ ଦେହ
ପୂରା ନହେବାରୁ ତା'ର ମନସ୍କାମ
ଶ୍ରାବଣୀ ଆଖିରେ ଆଖିଏ ଲୁହ ।
ଧକେଇ ଧକେଇ କାନ୍ଦଇ କେବଳ
ମୂଷଳ ଧାରାରେ ବର୍ଷି ନପାରି
ଟୋପା ଟୋପା ଜଳ ଦେବ କି ସୁଫଳ
କାହାକୁ କି ଏଠି ବିଚାର କରି ?
ଚାତକୀ ପରି ସେ ଅନାଇଁ ରହିଛି
ଭାସୁଥିବା ଖଣ୍ଡ ଖଣ୍ଡ ମେଘକୁ
ଧୂଆଁ ପରି ଖାଲି ଯାଉଛନ୍ତି ଉଡ଼ି
ନ ଅନାଇଁ ସିଏ ବି ଶ୍ରାବଣୀକୁ ।
ଶ୍ରାବଣୀର ଧାରା ଯେଣୁ ହିତକାରୀ
ଖୋଜେ ଭୂପ୍ରକୃତି ଅତି ବିକଳେ
ତା' ବିନା ଜୀବନ ଲାଗେ ଶୂନ୍ୟ ଶୂନ୍ୟ
କେମିତି ଜୀଇଁବେ ଏଠି ସକଳେ ?
ସେଇ ଚିନ୍ତା କରି ବେଦନାକୁ ଧରି
କେବଳ କୋହ ଭିଜା ନୟନରେ
ସବୁ ଦୋଷ ଦିଏ ମାନବ ଜାତିକୁ
ମାତି ରହିବାରୁ ନିଜ ସ୍ବାର୍ଥରେ ।
ଜଳୀୟ ବାଷ୍ପରୁ ସୁଷ୍ଟି ହୋଇ ମେଘ
ଶ୍ରାବଣୀର ଇଚ୍ଛା କରେ ପୂରଣ
ଅନିୟମିତତା ବୃଷ୍ଟି ହୁଏ ପରା
ବଣଜଙ୍ଗଲ କାଟିବା କାରଣ ।
କଷ୍ଟେ ସମ୍ଭାଳଇ ଛାତିର କୋହକୁ
ଚେତାଇ ଦେଇ ଚେତନ ସକଳେ
ନିଜ ପାଇଁ ନିଜେ ଭୁଞ୍ଜ କର୍ମଫଳ
ଅନାଇଁ କି ଲାଭ ମୋତେ ବିକଳେ ?
