ଶ୍ରାବଣୀ ଆଖିରେ ଲୁହ
ଶ୍ରାବଣୀ ଆଖିରେ ଲୁହ
ଚିରି ହୁଏ ଛାତି ଫାଟଇ ବାଦଲ
ପାହାଡ଼ ବକ୍ଷରେ କୋହ
ନିରିମାଖି ମାଟି ବିବସ୍ତ୍ର ପ୍ରକୃତି
ଶ୍ରାବଣୀ ଆଖିରେ ଲୁହ ।
ତଳ ବହୁତଳ କୋଠା ମାଳମାଳ
ସଡ଼କ ପକ୍କା ନିର୍ମାଣ
କଳ କାରଖାନା ଯାନ ଓ ବାହନ
ପ୍ରଦୂଷଣ ନିର୍ଗମନ ।
ପାପ ବ୍ୟଭିଚାର ଅନ୍ୟାୟ ଦୁର୍ନୀତି
ଧରମକୁ ଆଖିଠାର
ରୋଗ ମହାମାରୀ ଉତ୍କଟ ସଙ୍କଟ
ଘୋଟିଯାଏ ଅନ୍ଧକାର ।
ଉଜୁଡି ଯାଉଛି ସବୁଜ ବନାନୀ
ଘରଦ୍ୱାର ପରିବାର
ପୋତି ହୋଇ ଶଯ୍ୟା ଉଛୁଳଇ ନଈ
ଲଙ୍ଘୁଅଛି ଦୁଇକୂଳ ।
ପ୍ରଦୂଷିତ ଜଳ ଜୀବନର ଉତ୍ସ
ନାହିଁ ପ୍ରିୟାପ୍ରୀତି ରଙ୍ଗ
ଭୟରେ କାତରେ ମୁଦିହୁଏ ଆଖି
ଦିଶେନାହି ପ୍ରତିବିମ୍ବ ।
କାନ୍ଦୁଛି ସମାଜ ପ୍ରତିଟି ହୃଦୟ
ଈଶ୍ୱର ବି ନିରୁପାୟ
ଭସାଇ ନେଉଛି ଶ୍ରାବଣୀର ଲୁହ
ରଚୁଛି ଖଣ୍ଡ ପ୍ରଳୟ ।
ହେଉ ସଦଜ୍ଞାନ ସୁବୁଦ୍ଧି ଉଦୟ
ପ୍ରକୃତି ସହାବସ୍ଥାନ
ଶ୍ରାବଣୀର ଲୁହ ଦେଉ ମହାଶିକ୍ଷା
ସମୟ ଦିଏ ଆହ୍ୱାନ ।