ଶ୍ମଶାନ
ଶ୍ମଶାନ
ମୋ ପାଇଁ ନୁହନ୍ତି କେହି
ବଡ ଆଉ ସାନ,
ନାହିଁ ନିଜପର ଭାବ
ମୁଁ ଅଟେ ଶ୍ମଶାନ।
ଜାତି, ଧର୍ମ, ବର୍ଣ୍ଣ ଆଉ
ଛୁଆଁ ଓ ଅଛୁଆଁ,
ସବୁକୁ କରେ ସମାନ
ଜାଳି ଏକ ନିଆଁ।
ମୋ ପାଖକୁ ଆସିବାଟା
ଚିରନ୍ତନ ସତ୍ୟ,
ମୋ ମାଟିରେ ଗଣତନ୍ତ୍ର
କରଇ ରାଜତ୍ୱ।
ଜନମ ବେଳେ ମଣିଷ
ସମସ୍ତେ ସମାନ,
ନଥାଏ ନାଆଁ, ଉପାଧି
ଧନ ଆଉ ମାନ।
ଗଲାବେଳେ ଏ ମଣିଷ
ଯାଏ ଖାଲିହାତେ,
ନବୁଝି ଏକଥା ସିଏ
ଅହଂକାରେ ମାତେ।
ଧନ,ମାନ ,ଅହଙ୍କାରେ
ନିଜେ ଅନ୍ଧ ହୋଇ,
ଅନ୍ୟକୁ ଆପଣା ସମ
କେବେ ନଦେଖଇ।
ଶବାଧାର କାନ୍ଧେ ବହି
ଆଣେ ଶ୍ମଶାନକୁ,
ଶିଖେନାହିଁ ସମାନତା
ମୋର ଆଦର୍ଶକୁ।
ଜୁଇ ଜାଳି ପୁଣି ଚାଲେ
ଶଗଡଗୁଳାରେ,
ଗୋଦରା କୋଡି ମାଡିବା
ନ୍ୟାୟ ଅନୁସାରେ।
ସମଦର୍ଶୀଭାବ ଅଗ୍ନି
ଯଦି ସେ ଜଳାନ୍ତା,
ଅସମାନତା କଳ୍ମଷ
ଭସ୍ମ ହୋଇଯାନ୍ତା।
ତା ଭିତରେ ହସୁଥାନ୍ତା
ସଦା ଗଣତନ୍ତ୍ର।
ତା ହୃଦରୁ ଶୁଭୁଥାନ୍ତା
'ରାମନାମ ସତ୍ୟ'।