ବାପାମାଆ ଛେଉଣ୍ଡ
ବାପାମାଆ ଛେଉଣ୍ଡ
ଜୀବନର ଅଙ୍କାବଙ୍କା ଚଲାପଥେ
ଝୁଣ୍ଟି ପଡୁଅଛି
ଅସୁମାରୀ ଆଶା, ଉଦରର ଜ୍ୱାଳା ସହି ନ ପାରୁଛି
କହିବାକୁ ନାହାନ୍ତି କେହି ପଦିଏ ଆହା
ଆରପାରିରେ ରହୁଛନ୍ତି ମୋ ବାପା ମାଆ
କେମିତି ଖୋଲିବ ମୋ ତୁଣ୍ଡ
କାହାକୁ ଅବା କହିବି
ମୁଁ ପରା ବାପ ମା ଛେଉଣ୍ଡ ।
କଥାରେ କହନ୍ତି
ବାପଥିଲା ପୁଅ ସଭାରେ ହାରେନା
ମାଆଥିଲା ପୁଅ ଭୋକରେ ମରେନା,
ହେଲେ ମୁଁ
ହଜେଇ ଦେଇଛି ମୋ ଅତୀତକୁ
ଭୁଲି ଯାଇଛି ମୋ ମମତାର ବନ୍ଧନକୁ
ସାତ ଦୀପ ଆଠ କଳସକୁ ସାକ୍ଷୀ ରଖି
ହାତ ଧରିଥିଲି ଯାହାର
ପିତାମାତା ସ୍ନେହସମ କରିବ କି ଆଦର ?
ସ୍ୱାର୍ଥପର ଦୁନିଆରେ ସବୁକିଛି ମିଛ
ସଭିଏଁ ଏଠି ଭଣ୍ଡ,
ନିଜେ ନିଜକୁ ଧିକ୍କାର କରେ
ମୁଁ ପରା ବାପାମାଆ ଛେଉଣ୍ଡ ।
ପିତାମାତା ଦୁଇଜଣ ଯଦି ଆଜି ଥାଆନ୍ତେ
ଘର ଅଗଣାରେ ମାଙ୍କଡ଼ ଡେଇଁ ନ ପାରନ୍ତେ
ସରଗଠୁ ବଳି ପୂଣ୍ୟ ମୋ ଟିକି ସଂସାରେ
ଲକ୍ଷ୍ମୀ ନାରାୟଣ ବିଜେ ସତେ ଶ୍ରୀମନ୍ଦିରେ,
ଭାବନାରେ ଘୁରିଯାଏ
ସଦା ମୋର ମୁଣ୍ଡ
ନିଜେ ନିଜକୁ ବୁଝାଏ
ମୁଁ ପରା ବାପାମାଆ ଛେଉଣ୍ଡ ।