ମୌସୁମୀ ପ୍ରିୟା
ମୌସୁମୀ ପ୍ରିୟା
ଆଗୋ ମଉସୁମୀ ତୁମ ପଥ ଚାହିଁ
ବସିଅଛୁ ଖରାଦିନୁ
ସିଝାଇ ଚାଲିଛି ଉତ୍ତପ୍ତ ନିଦାଘ
ତୁମେ ଚାଲିଗଲା ଦିନୁ ।।
ତୁମ ଶୀତଳତା ପରଶକୁ ପାଇ
ଆନନ୍ଦିତା ମା ଧରଣୀ
ଟାଙ୍ଗରା ଭୂଇଁରେ ତୁମ ବାରିଧାରା
ବାସ୍ନା ମନ ମୋହିଲାଣି ।।
ଆଦ୍ୟ ଆଷାଢ଼ରେ ତୁମ ଆଗମନ
ଧରାର ମଙ୍ଗଳପାଇଁ,
ସବୁଜିମାମୟ ଦିଶେ ଏହି ଧରା
ଜଳକଷ୍ଟ ଦୂର ହୋଇ ।।
ଅନ୍ନଦାତାକୁଳ ଆନନ୍ଦେ ଅଧୀର
ଦେଖି କ୍ଷେତ ସବୁଜିମା
ବରଷଯାକର ଖାଦ୍ୟ ଚିନ୍ତା ତାଙ୍କ
ରହିବନି ଆଉ ଜମା ।।
ମୟୂର ମୟୂରୀ ନୃତ୍ୟେ ରତ ହେଲେ
ସୁନ୍ଦର ପୁଚ୍ଛ ମେଲାଇ
ବେଙ୍ଗବେଙ୍ଗୁଲୀଙ୍କ ହାଟ ବସିଲାଣି
ସାରୁବୁଦା ମୂଳେ ଯାଇ ।।
ଶୁଷ୍କ ତରୁ ଡାଳ ହେଲା ପଲ୍ଲବିତ
ତୁମ ପ୍ରେମ ସ୍ପର୍ଶ ପାଇ
ତୃଣର ଅଭାବ ହୋଇଗଲା ଦୂର
ଗାଇବାଛୁରୀଙ୍କ ପାଇଁ ।।
ନଦୀ,ପୁଷ୍କରିଣୀ ପରିପୂର୍ଣ୍ଣ ହେଲେ
ବର୍ଷା ଜଳକୁ ଆବୋରି,
ମାଛ ମାରିବାକୁ କୈବର୍ତ୍ତ ଭାଇଟି
ଯାଉଅଛି ନାଆ ଧରି ।।
ରାସ୍ତା ଦୁଇ ପାର୍ଶ୍ବ ପରିପୂର୍ଣ୍ଣ ହେଲା
ଗୁଳ୍ମ ଲତାମାନ ବଢି
ଛତା,ରେନକୋଟ୍ କିଣିବା ପାଇଁକି
ଦୋକାନରେ ଲମ୍ବା ଧାଡି।।
ମୌସୁମୀ ଗୋ ତୁମେ ପ୍ରତିବର୍ଷ ଆସ
ମେଘମାଳା ସାଥେ ଧରି
ସଂସାରର ଦୁଃଖ ବିନାଶ କରିଣ
ଖୁସିରେ ଯାଉଥା' ଫେରି ।।