ବୃକ୍ଷ ହିଁ ବନ୍ଧୁ
ବୃକ୍ଷ ହିଁ ବନ୍ଧୁ
ବୃକ୍ଷ ପରି ବନ୍ଧୁ ସଂସାରରେ ନାହିଁ
ସବୁରି ହିତରେ ଥାଏ,
ଏନ୍ତୁଡ଼ିରୁ ଜୁଇ ଥାଏ ସାଥେ ରହି
ତାହାପରି ହେବ କିଏ ?
ପ୍ରଚଣ୍ଡ ଖରାକୁ ମୁଣ୍ଡରେ ମୁଣ୍ଡେଇ
ଅପରକୁ ଛାଇ ଦିଏ,
ପଶୁ ପକ୍ଷୀ ନର ସଭିଙ୍କର ସାହା
କାଳେ କାଳେ ହୋଇଥାଏ।
ନିଜ ଖାଦ୍ୟ ନିଜେ ନକରି ଆହାର
ଅପରକୁ ଦେଇଥାଏ,
ନିଜ ଅବୟବ ମାନବ କଲ୍ୟାଣେ
ଅଚିରେ ବିତରି ଦିଏ ।
ଅଙ୍ଗାରକାମ୍ଳକୁ ଶୋଷି ତାପମାତ୍ରା
ନିୟନ୍ତ୍ରଣ କରିଥାଏ,
ସଜ୍ଜି ଅମ୍ଳଜାନ ବାୟୁମଣ୍ଡଳର
ଭାରସାମ୍ୟ ରଖିଥାଏ ।
ତାହାପାଇଁ ସିନା ମୌସୁମୀ ବରଷା
ଧରା ବକ୍ଷେ ଆସିଥାଏ
ଖର ଖରକର ତାପୁ ଚରାଚର
ତା' ଯୋଗୁଁ ନିସ୍ତାର ପାଏ ।
ତାହାରି ପାଇଁକି ଧରଣୀ ସୁନ୍ଦର
ସବୁଜିମା ହୋଇଥାଏ
ତାହାରି ଅଭାବେ ସବୁ ପ୍ରାକୃତିକ
ବିପର୍ଯ୍ୟୟ ଘଟିଥାଏ ।।
ବୃକ୍ଷ ହିଁ ଜୀବନ ପ୍ରକୃତିର ଦାନ
ଏ କଥାକୁ ରଖ ଲୟେ
ବୃକ୍ଷରୋପଣର ପାଇଁ ଦିଅ ମନ
ବିଶ୍ୱକର ମଧୁମୟେ ।
ଉଜୁଡା ଜଙ୍ଗଲ କରି ସଂରକ୍ଷଣ
ନୂତନ ବନୀକରଣ
ଅର୍ଥେ ଦେବା ମନ ଆହେ ବନ୍ଧୁଗଣ
ଖେଳାଇବା ଜାଗରଣ ।।