ଶୀତଳ ସ୍ବପ୍ନ
ଶୀତଳ ସ୍ବପ୍ନ
ନିଦ ଭିଜା ରାତିର ଅନ୍ତିମ ପ୍ରହରେ
ସ୍ବପ୍ନ ଥିରି ଥିରି ଆସେ,
ଝରକା କଡର ଜହ୍ନ ଆଲୁଅରେ
ନିଦ କିନ୍ତୁ ଝାପ୍ସା ହେଇଯାଏ ।
ସଞ୍ଜ ଆସିଗଲେ ଅକୁହା କାହାଣୀ
ହୃଦୟକୁ ଚାଲିଆସେ ,
ଆଉ ସବୁ ତକ ହିଁ ସ୍ବପ୍ନ ର ରୂପ ନିଏ।
ଆଶା ଅଭିଳାଷ ର ଛାଇଆଲୁଅରେ
ରଙ୍ଗୀନ ମନଟା ବିଳପି ଉଠେ ,
ଧୈର୍ଯ୍ୟ ଭୁଷୁଡି ପଡିବା ପରେ ପରେ
ନିଦ ବି ଦୂରେଇଯାଏ।
ଜୀବନ ଆରମ୍ଭରୁ
ପ୍ରତିକ୍ଷୀତ ମୁହୂର୍ତ୍ତ ମାନ,
ମରୀଚିକା ପରି ,
ବାଟ ଚାଲୁ ଚାଲୁ
ସତ ଆଉ ମିଛ ର ଖେଳ
ପରାହତମନର ବିଚିତ୍ର
ଆକର୍ଷଣ ରେ ,
କ୍ଷୀଣ ହୋଇଯାଏ ଜୀବନଟା
ପ୍ରୀତିର ଆଇନାରେ ।
ଅନିଶ୍ଚିତତା ଭିତରେ
ସ୍ବପ୍ନ ପାଇଁ ରାତି ଊଣା ପଡେ ।
ପୁନେଇଁ ଜହ୍ନର ଫାଳିକିଆ ହସରେ
ଶୂନ୍ୟ ଆକାଶ କୁ ଚାହିଁ ଚାହିଁ
ସ୍ବପ୍ନ ଦେଖି ହୁଏନାହିଁ ,
ଧନ ନୁହେଁ ନୁହେଁ ଯୌବନ
ସବୁ ମାୟା ମୋହ,
ସେ ଯେ ସକାଳର ବାସ୍ନା,
ମଧ୍ୟାହ୍ନର ପ୍ରୀତି,
ଅଭିନୟ ସହ ପ୍ରଳୟ ଆରମ୍ଭ
ସ୍ବପ୍ନରେ ,
ସମୟ କହୁଛି
ଏ ପରା ଶୀତଳ ସ୍ବପ୍ନ ।।