ଶୀତ ଋତୁ
ଶୀତ ଋତୁ
ପାର୍ବଣ ଋତୁ ଯାଇଛି ସରି,
ମନେ ଆଶା ରଖି ଅସୁମାରୀ,
ଶୀତ ଆସେ ପାଦ ପକାଇ ଥିରି,
କାଶତଣ୍ଡୀ ରୂପ ଯାଇଛି ଝଡ଼ି ।
ପାହାନ୍ତିଆ କି ସୁନ୍ଦର ରୂପ,
ସତେ ଗଗନେକେ ଦେଇଛି ଧୂପ,
ଦେଖାଯାଉନାହିଁ ସୂରୁଜ ମୁଖ,
କୁହୁଡିଆ ଅଟେ ଚତୁଃପାର୍ଶ୍ଵ ।
ହୋଇଲେ ତା ଦିନ ପୌଷ, ମାଘ,
ସାଜେ ରୂପ ତାର ଘାଇଲା ବାଘ,
ଚାରିଆଡେ ଖାଲି କୋହଲା ପାଗ,
ଧାନ କଟା ପାଇଁ ଚଷା ସଜାଗ ।
ଧରାପୃଷ୍ଠେ ଧିରେ ଆସଇ ଶୀତ,
ଶୀତଳ ହୋଇଛି ସାରା ଜଗତ,
ସେବତୀ ଗାଉଛି ଆନନ୍ଦ ଗୀତ,
ପନିପରିବା ମିଳେ ବହୁତ ।
ଏକତା ଭାଵ ଯାଇଛି ବଢ଼ି,
ପଶମ ବସ୍ତ୍ରକୁ ଦେହରେ ଧରି,
ଗାଁ ମୁଣ୍ଡେ ଦିଅନ୍ତି ଧୂନି ଜାଳି,
ଶୀତକୁ ଟିକେ ଆଡୁଖା କରି ।
ଦିନ ସାନ ରାତି ହୋଇଛି ବଡ,
ସକାଳ ପ୍ରହରୁ ପଡେ କାକର,
ପୋଖରୀରେ ଫୁଟି କଇଁ କମଳ,
ଅସ୍ତଗାମୀ ରବି ଦିଶେ ସୁନ୍ଦର ।
ନିଶାମଣୀ ଚମକେ ନିଶାକାଳେ,
ଶୋଭା ପାଉଥାଏ ତାରକାମେଳେ,
ଥଣ୍ଡା ଥରାଉଛି ସବୁ ଶରୀର,
ଖୋଲା ହୁଏ ନାହିଁ କାହାରି ଦ୍ୱାର ।
ତଥାପି ଶୀତ ଆମରି ମିତ,
ସୁନାରେ ଭରିଛି ସବୁରି କ୍ଷେତ,
ଶୀତ ଆସେ ନୂଆଁ ପର୍ବ ସହିତ,
ଶୀତ ଲାଗିଲେବି ସେ ସବୁରି ହିତ ।
ଗଛ ପତରରେ ଲାଗେ କାକର
ଗୁଡିଉଡ଼ା ସହ ଆସେ ମକର,
ହୁଏ ସୂର୍ଯ୍ୟଙ୍କର ଉତ୍ତରାୟଣ,
ଘଟଇ ଶୀତର ଅବସାନ ।
ସବୁ ଋତୁ ଅଟନ୍ତି ଉପକାରୀ,
ସଭିଏଁ ଅଟନ୍ତି ମିତ ଆମରି,
ପ୍ରକୃତି ଦେଇଛି ସବୁ ସଜାଡି,
ଋତୁଚକ୍ରେ ଆସି ଯାଆନ୍ତି ଫେରି ।
