STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ଶୀତ ମହୁଆ ମହକ ସାଥେ

ଶୀତ ମହୁଆ ମହକ ସାଥେ

3 mins
272

 

ଆପେ ମତୁଆଲା ତନ ମନ ପ୍ରାଣ

ଯେବେ ଶୀତ ଛୁଏଁ ଧରା 

ପ୍ରାୟତଃ ସୁନ୍ଦର ଅନୁଭୂତି ହୃଦେ

ପରିବେଶ ବି ନିଆରା 

ଶୀତୁଆ ପବନ ଛୁଇଁଲେ ମହୁଆ 

କିମ୍ପା ଲାଗେ ଏ ଦେହରେ

ଲୋମ-କୁପ କିମ୍ପା ଉଠଇ ଟାଙ୍କୁରି 

ଜିଜ୍ଞାସା ପ୍ରିୟା ମନରେ

ଶୀତ ସାଥେ କେତେ ସ୍ମୃତି ବିଜଡ଼ିତ

ମହୁଆ ମହକ ଧାରେ

ଶୀତର ଆକାର ଅବା ପରିଭାଷା

କେବଳ ଅନୁଭବ ରେ


ଶୀତ ଏକ ଅନୁଭବ, ଅନୁଭୂତି

ଇଶାରା ଆକର୍ଷଣର

ମହୁଆ ମହକ ସାଥେ ପୁଣି ସ୍ଫୁର୍ତ୍ତି 

ଅନ୍ତରଙ୍ଗ ଅଭିସାର 

ଶୀତ ତ' ଅଳସି ସଞ୍ଜର ଅତିଥି

ସତେ ଅବା ଆମନ୍ତ୍ରିତ

ନିଦୁଆ ସକାଳର ଉଷ୍ମ ଚା କପ୍

ଶୀତ ମନେ ହୁଏ ମିତ

ଖବରକାଗଜର ସତେଜ ଶୀର୍ଷକ

ଶୀତ ମୌନ ବ୍ରତ ଧାରେ

ଦୃଶ୍ୟ ପ୍ରାୟ ଅତି ଉପଭୋଗ୍ୟ ପୁଣି

ସକାଳ ନିଆଁ ପୁଆଁ ର

ଶୀତ ସରାଗ ରେ ପୁଲକିତ ପ୍ରାୟ

ଅଭିଆଡି ପୁରପଲ୍ଲୀ,

ଚଉଦିଗେ ନାଚେ ସୁଲୁ ସୁଲୁ ବାଆ 

ମନ୍ଦ ହସ ମତୁଆଲି ,

ଶୋରିଷ କ୍ଷେତର ସୁନେଲି ମାୟାରେ

ଦିଗହରା ମଧୁକର ,

ମହୁଆ ମୋହରେ ଅଧା ଲେଖା ଗୀତି 

ପୂର୍ଣ୍ଣତା ପଣ ପ୍ରାଣର 


ଶୀତୁଆ ସକାଳେ କଅଁଳ ଖରାର 

ସତେ କି ଉଷୁମ ହସ 

ଫୁଲର ସମ୍ଭାର ବନ ଉପବନେ

ବିଛୁରିତ ମିଠା ବାସ 

ଗୋଲାପ ଓଠରେ କାକର ର ବୁନ୍ଦା

ସତେ କି ପ୍ରୀତିର ଚିତା 

ଶିହରଣ ଖେଳେ ଅଙ୍ଗ ଅବୟବେ 

ଦୀର୍ଘ ପ୍ରାୟ ନୀରବତା

ରାତ୍ରି ଅନ୍ଧାର ରେ ମହୁଆ ପୁଲକ 

ପୁଲକେ ନହୁଲି ପ୍ରାଣ

ସପନ ଶେଯରେ ଆଶା ଅସୁମାରୀ 

ହୃଦରେ ଦୃତ ସ୍ପନ୍ଦନ


କାକର ର ବୁନ୍ଦା ଘାସ ଗାଲିଚାରେ

ପଥ ଚାହିଁଛି ଖୁସିରେ

ଶୀତର ସ୍ବାଗତ ନିମନ୍ତେ ପ୍ରକୃତି

ସଜ ହୋଇଛି ଫୁଲରେ

ନିଜକୁ କୁହୁଡି ଘୋଡେ଼ଇ ହୋଇ

ଶୀତ ଆସିଛି ସମ୍ପ୍ରତ୍ତି

ଘାସ ଗାଲିଚାରେ ପାଦ ଥାପି ଥାପି

ଦାବୀ କରେ ଉପସ୍ଥିତି

ସକାଳୁ ସକାଳୁ ଘାସ ଗାଲିଚାରେ

ଫୁଟେ ମୋତିର ଚମକ

ଧରା ପୃଷ୍ଠେ ଶୀତରାଣୀ ବିରାଜିତ

ଚର୍ଚ୍ଚା ଏକକୁ ଆରେକ

ସୂର୍ଯ୍ୟ କିରଣର ଆଭା ଧୁମ୍ର ମୟ

କୁହୁଡି ଭରା ବଳୟ

ତନ ମନ ପ୍ରାୟ ଶିହିରୀ ଉଠୁଛି

ଉସ୍ମତା ପାଇଁ ଅଥୟ

ଘାସ ପତ୍ରେ କାକର ଟୋପା ବିଛେଇ

ଶୀତ ଆସେ ପାଦ ଥାପି

ଦେହେ ଅପରୂପ ଶୋଭା ଆବରଣେ

ଚାରିଆଡେ ଯାଏ ବ୍ୟାପି

ଶୀତ ଚାହିଁ ରହେ ନିରେଖି ନିରେଖି

କିଏ ହେଉଅଛି ପ୍ରୀତ

ଶୀତୁଆ ଶୀତଳ ସ୍ପର୍ଶ ଅନୁଭବେ

କିଏ ହେବ ନିଜ ମିତ

କାହାକୁ ହିତ ଅବା କାହାକୁ ଅହିତ

ଶୀତ ଦେଖୁଛି ନିରେଖି

ସାମୟିକ ଭାବେ କିଏ ଚାହେଁ ମିତ

ଶୀତ ଘୁରାଉଛି ଆଖି

ମିତ ପରି ଶୀତ ମନ କଥା ଜାଣି

ଫୁଲର ସମ୍ଭାର ସହ

ଉପସ୍ଥିତି ଜଣାଇ ଦିଏ ସହଜେ

ଫୁଲ ବାସ ମହ ମହ

ଧାନ କ୍ଷେତ ହସେ ଶୀତ ଆଗମନେ

କାକର ବର୍ଷା ବିନ୍ଦୁରେ

ଚାଷୀ ଭାଇ ମନେ ମନେ ଖୁସି ବେଶି

ଚାଲି ବିଲର ହୁଡାରେ

ଚଷାର ଆନନ୍ଦ କହିଲେ ନ ସରେ

ବିଲରେ ସୁନାର କ୍ଷେତ

ଶୀତୁଆ ସକାଳେ ଧାନ କିଆରୀକୁ

ଛୁଇଁ ଦେଖୁଅଛି ଶୀତ

ପରିବେଶ ଭାରି ମନ ମତ୍ତାଣିଆ

ପାର୍ବଣ ହସ ଖୁସିରେ

ପନିପରିବା ବି ବାଡି ବଗିଚାରେ

ଭଲ ଫୁଲ ଫଳ ଧରେ

ଶୀତର ଆଗମନ ଋତୁ ଚକ୍ରରେ

ଗୀତ ଗାଇବାକୁ ମନ

ଗୁଣୁଗୁଣୁ ସ୍ଵରେ ନୁହଁ, ମୁକ୍ତ କଣ୍ଠେ

ଦୋହଲାଇ ତନ ମନ

ଶୀତକୁ ରାଣୀ, ସୁନ୍ଦରୀ ଓ ମାଉସୀ

ଡାକୁଛି କିଏ କେମିତି

କିଏ ମିତ,ସାଥୀ,ସାଙ୍ଗ,ବନ୍ଧୁ ଭାବେ

ଦେଖିଲେ ନିକଟେ ଅତି

ଭାରି ଭଲ ଶୀତ ସହ ଗପିବାକୁ

ଘୋଡି ହୋଇ ଉସ୍ମ ବସ୍ତ୍ର

ହୃଦର ଅବ୍ୟକ୍ତ କଥା କହିବାକୁ

ଇଚ୍ଛା ହୁଅଇ ଜାଗ୍ରତ

କାହିଁକି କେଜାଣି ଗୀତ ଗାଇବାକୁ

ମନ ହୁଅଇ ତପ୍ତର

ଶୀତ ହୋଇଥାଏ ହୃଦୟେ ପ୍ରତ୍ୟୟ 

ସତେ ନିହାତି ନିଜର   

ମତୁଆଲା ମନ ଖୋଜେ ଉଷ୍ମ ଦେହ

ପ୍ରିୟାର ବକ୍ଷ ଉଷ୍ମତା

ରାତି ସରିଯାଏ ଉଷ୍ମତା ସ୍ୱପ୍ନରେ

ଶୀତରେ ଉଷ୍ମତା ଚିନ୍ତା

ମା ବକ୍ଷ-ଉଷ୍ମତା ଶିଶୁ ଚିନ୍ତା ଶୂନ୍ୟ

ଦେଖି ଖୁସି ଶୀତରାଣୀ

ନିଦୁଆ ଦେହରୁ ବସ୍ତ୍ର ଖସି ଗଲେ

ମା ଆଣେ ଶିଶୁକୁ ଟାଣି

ବୟସ୍କ ଶରୀର ହୁଏ ସନ୍ତାପିତ

ସହ୍ୟ ହେଉନାହିଁ ଶୀତ

ଉସ୍ମ ବସ୍ତ୍ର ଯେତେ ଢାଙ୍କି ହେଲେ ସୁଦ୍ଧା

ଶରୀର ହେଉନି ତୃପ୍ତ

ଶୀତୁଆ ସକାଳେ ପ୍ରାତଃ ଭ୍ରମଣରେ

ଭାରି ମଜା ପାଦ ଚଲା

କୁହୁଡି ଚାଦର ଘେରା ପରିବେଶ

କାକର ଟୋପା ଚଗଲା

ଶୀତୁଆ ପାଗରେ ବଣଭୋଜି ଖୁସି

ବାଣ୍ଟି ସମ୍ପର୍କର ଭାବ

ସଞ୍ଜ ହେଉ ହେଉ ଘର ଲେଉଟାଣି

ଉସ୍ମଭରା ପ୍ରେମ ଭାବ

ଫୁଲର ସମ୍ଭାର ଘର ଅଗଣାରେ

ପରିବେଶ ମନୋରମ

ଧନ୍ୟ ଶୀତରାଣୀ ତୁମର ଗରିମା

ଚାଲି ତୁମ ଅବିରାମ 

ଅଙ୍ଗ ଅବୟବ ଖୋଜେ ଉଷ୍ମ ସ୍ପର୍ଶ

ମିତ ଖୋଜିବା ଇଶାରା

ମିତ ସହ ଦେହର ଉଷ୍ମତା ପାଇଁ

ଶୀତ କହୁ ଅଛି ପରା!!

ଅପେକ୍ଷା ରତ ଫୁଲ ଫୁଟି ଖେଳେ

ଶୀତୁଆ ପବନେ ଦୋଳି

ଶୀତ ବସ୍ତ୍ର ବିନା ନବ ଜାତ ଶିଶୁ

ଦେହ ଉଠାଏ ଉଛୁଳି

ରାସ୍ତା କଡରେ ବାସ ହିନ ପିଲାଏ

ନିଆଁ ଜାଳି ହୋଇ ମେଳି

ହସ ର ଆଭାସ ପଡୁଛି ଉଛୁଳି

ଉଷ୍ମତା କୁ ଅଙ୍ଗେ ବୋଳି

ଅଳସୁଆ ଶୀତ ସକାଳର ପ୍ରୀତି

ଖୁସି ନବ ବିବାହିତ

ଶୀତୁଆ ପିରତି ଭାରି ମିଠା ମିଠା

ପ୍ରୀତି ପାଇଁ ଶୀତ ହିତ

ଶୀତରାଣୀ କହେ କୁହୁଡି ଘୋଡେ଼ଇ

ସଅଳ ଉଠ ସକାଳେ

ପ୍ରାତଃ ଭ୍ରମଣରେ ହୁଅ ଆଗଭର

ଖୋଲା ଆକାଶର ତଳେ

କଅଂଳିଆ ଖରା ମୁରୁକି ହସୁଛି

କୁହୁଡି ଭିତରେ ରହି

ଶୀତରାଣୀ ବାଟ ଓଗାଳି ଦେଇଛି

ଅବୟବ କୁ ଥରେଇ

ଶୀତରାଣୀର ଦେହ ଥରା ଠାଣିରେ

ସ୍ମୃତି ଉଠେ ଝୁମି ଝୁମି

ଥରି ଥରି ପ୍ରିୟା ଝୁରି ହେଉଅଛି

ଲାଳସା ଦେବାକୁ ଚୁମି

ଶୀତୁଆ ସକାଳେ ଧ୍ୟାନ ରତ ବଗ

ଗହୀର ଧାନ କ୍ଷେତରେ

ସୁନେଲି କିରଣେ କୃଷକର ହସ

ବଗର ଧ୍ୟାନ ଭଗ୍ନରେ

କାକର ବର୍ଷାରେ ନୀରବତା ଭାଙ୍ଗି

ଜାଗି ଉଠେ ଶୀତରାଣୀ

ସକାଳୁ ସକାଳୁ କୁହୁଡି ଘୋଡେ଼ଇ

ଦେଖାଉଛି କେତେ ଠାଣି

ଆସ ଶୀତ ସହ ମିତ ହୋଇଯିବା

ଶୀତ ବଢ଼ାଇଛି ହାତ

ଶୀତ ସହ ମିଶି ଲେଖିବା ଗାଇବା

ଶୀତ ସମ୍ବନ୍ଧୀୟ ଗୀତ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama