STORYMIRROR

Jagannath Barik

Drama Inspirational

4  

Jagannath Barik

Drama Inspirational

ଟଙ୍କା କରେ ମୁହଁ ବଙ୍କା

ଟଙ୍କା କରେ ମୁହଁ ବଙ୍କା

1 min
467

ଝିଅ ବାହାଘର ଟଙ୍କା ଦରକାର

ଅଭାବରେ ପଡ଼ି ଭାଇ

ଭଉଣୀ ପାଖରୁ ଚାଳିଶ ହଜାର

ଧାର ଆଣିଲା ଯାଇ |

ବର୍ଷକ ମଧ୍ୟରେ ଶୁଝିଦେବ ବୋଲି

ଦମ୍ଭେ କଣ୍ଟ କରିଥିଲା

ବରଷେ ଯାଇକି ଦେଢ଼ ବର୍ଷ ଗଲା

ଟଙ୍କା ଶୁଝି ନପାରିଲା |

ଝିଅ ବିଭାଘର ଦୁଇ ମାସ ପରେ

ରୋଗରେ ଘରଣି ତାର

ପଡିବାରୁ ବହୁ ଅର୍ଥ ଖର୍ଚ୍ଚ ସତ୍ୱେ

ଚାଲି ଗଲା ଆରପାର |

ଶୁଦ୍ଧିକ୍ରିୟା କଲା ଅଭାବ ବଢ଼ିଲା

ବେଡି ଉପରେ କୋରଡ଼ା

ଅର୍ଥ ହାନୀ ପ୍ରାଣ ପୀଡା ସହିତରେ

କରଜର ସୁଧ ଚଢା |

ଏଣେ ଭଗ୍ନୀ ପରେ ଭିଣୋଇ ବିରକ୍ତ

ଶଳା ଶୁଝେ ନାହିଁ ଟଙ୍କା

ରାଗ ତମତମ ଦେଖାଏ ଗରମ

ପତ୍ନୀ ମୁହେଁ ଦିଏ ଚେଙ୍କା |.

ଏଡ଼େ ଅମଣିଷ ମରିଛି ଭାଉଜ

ଭାଇକି ମାଗିବି ଟଙ୍କା !!

ଏଡ଼େ ଅଵିଵେକୀ ହୋଇ ପାରିବିନି

ତୁମେ କେଡ଼େ ଧନ ରଙ୍କା |

ଏହିକ୍ଷଣି ଯାଆ ବାପ ଘରେ ତୋର

ଟଙ୍କା ନଆଣିବା ଯାଏ

ବାହାର ମୋ ଘରୁ କହି ଧକ୍କା ମାରୁ

କାନ୍ଦି ଭାଇପାଶେ ଧାଏଁ |

ଘରେ ପହଞ୍ଚିଲା କିଛି ନକହିଲା

କାନ୍ଦେ ଖାଲି କଇଁ କଇଁ

ଭଉଣୀର ଦଶା ଜାଣିଗଲା ଭାଇ

ଲୁହ ଧାର ଯାଏ ବହି |

ଭିଣୋଇ ପାଶକୁ ଯାଇ ଖରତର

ନେହୁରା ହୋଇଲା କେତେ

ମାସଟେ ସମୟ ଦିଅ ଭାଇ ମୋତେ

ଜମି ବିକା ପରିଯନ୍ତେ |

ଠକ ଟାଉଟର ଚୋର ସରଦାର

କିଛି ମୁଁ ଶୁଣିବି ନାହିଁ

ଟଙ୍କା ଦରକାର ହେଉଛି ମୋହର

ଆଜିଯାଏ ଥିଲୁ କାହିଁ |

ଦୁଆରୁ ବାହାର ବିକ ପଛେ ଘର

ଟଙ୍କା ମୋର ଦିଅ ଆଣି

ଟଙ୍କା ଏହିପରି ମୁହଁ ବଙ୍କା କରେ

ସାଧୁଜନେ ଥାଅ ଜାଣି ||



Rate this content
Log in

Similar oriya poem from Drama