ଲହୁ ଲୁହ
ଲହୁ ଲୁହ
ମୋତେ ପଚାରନା ଦୁଃଖ ସୁଖ କଥା,
କେବେ ଝରେ ଲହୁ,କେବେ ଝୁରେ ଲୁହ।
କେବେ ହସ ଝରି ଯାଏ ଆଖି କୋଣୁ,
କେବେ ଛାତି ତଳେ ଦବି ରହେ କୋହ ।
ଯାତନା ଯେବେ ବି ଜକେଇ ଆସନ୍ତି,
ଆଖି ପତା କେବେ କେବେ ଜାକି ଧରେ।
ଲାଖି ରହିଥିବା ହସ ଓଠ ଧାରେ ,
ଝରି ଯିବାର କରନ୍ତି ଅଭିନୟ
ମୋତେ ପଚାରନା ଦୁଃଖ ସୁଖ କଥା ।
ବଦରକତ ଅଟକି ରହିଯାଏ,
ଯଦି ଘାଆ ତଳେ କ୍ଷତ ଆଢ଼ୁଆଳେ
ଯାବତ ଯାତନା ଅସହ୍ୟ ବେଦନା
ଲହୁ ରହି ଯାଏ ବହି ଯାଏ ଲୁହ
ମୋତେ ପଚାରନା ଦୁଃଖ-ସୁଖ କଥା ।
ମୁକ୍ତ ଆକାଶ ର ତୃପ୍ତ ଦିଗବଳୟ,
ଲୁପ୍ତ ଆକାଙ୍କ୍ଷା ର ଲକ୍ଷ ଭେଦ କରି
ଯଦି ତୃପ୍ତି ପାତ୍ର ଛଳକେଇ ଯାଏ,
ମନ ଭରି ଯାଏ , ଝରି ଯାଏ ଲୁହ
ମୋତେ ପଚାରନା ଦୁଃଖ-ସୁଖ କଥା ।
କେବେ ଦୁଇ ଟୋପା ଲୁହ ଆଖି ତଳୁ,
ବହି ଯାଏ ଛାତି ଚିରି ନିରିମମ।
ଆଖି ରୁ ନିଗିଡ଼େ ରକତ ତତଲା,
କେହି କହନ୍ତି ଝରୁଛି ଧାରେ ଲୁହ
ମୋତେ ପଚାରନା ଦୁଃଖ-ସୁଖ କଥା ।
କେବେ ଲହୁ ବହି ଯାଏ ପାଣି ପରି,
କେବେ ଆଖି କାନ୍ଦେ ରକତ ର ଲୁହ
ଏ ତ ଜୀବନ ର ଧାର ଅଙ୍କା-ବଙ୍କା
ଲହୁ-ଲୁହ ର ଅକୁହା ସମନ୍ୱୟ
ମୋତେ ପଚାରନା ଦୁଃଖ-ସୁଖ କଥା ।