କଳିରେ କାଳିଆ ଦ୍ୱାପରରେ କାହ୍ନା
କଳିରେ କାଳିଆ ଦ୍ୱାପରରେ କାହ୍ନା
କଳିରେ ଶ୍ରୀକ୍ଷେତ୍ରେ କାଳିଆ ସାଆନ୍ତ
କାହ୍ନା-କୃଷ୍ଣ ଦ୍ଵାପର ରେ
ଗୋପ ପୁରେ ରହି ଗୋପ ଲୀଳା ସହ
ସ୍ଵୟଂ ମଜ୍ଜିଲେ ପ୍ରେମରେ
ଗୋପପୁର ଭୁଲି ଦ୍ୱାରକା ନଗରେ
ସ୍ଥାୟୀ ବସବାସ ବେଳେ
ଉଦ୍ଧବ ମନରେ ଗୋପର ଜିଜ୍ଞାସା
କାର୍ଯ୍ୟକାରୀ ହେଲା ବଳେ
ଗୋପପୁରେ ଭ୍ରମି ଗୋପ ଶିରୀ ସ୍ଥିତି
ଉଦ୍ଧବ କ୍ରମଶଃ ଜ୍ଞାତ
କହ୍ନାଇଁ ପ୍ରେମର ସୁରାକ ସର୍ବତ୍ର
ଆପେ ହେଲେ ଅବଗତ
କୃଷ୍ଣ ବିନା କୃଷ୍ଣ ବିଷୟକ ଭାବ
ସମ୍ପୁର୍ଣ୍ଣ ବ୍ରଜ ଭୂମିରେ
"ଗୋପପୁର କାହ୍ନା" ସମ୍ବୋଧନ ଧାରେ
ବ୍ୟକ୍ତ ଉଦ୍ଧବ ମୁଖରେ
ଉଦ୍ଧବ ର ବାର୍ତ୍ତା ଶୁଣ ହେ ମୋହନ
ଖବର ଯା' ଗୋପ-ପୁରେ
ଗୋପପୁର ବୁଲି ପଚାରି ବୁଝିଲି
କେମିତି ଅଛ ଏଠାରେ !
କି' ଭାବେ ରହିଛ ପଚାରି ବୁଝିଲି
ଏକାନ୍ତରେ ଭେଟି ରାଧା
ନୟନର ଅଶ୍ରୁ ଧାର କହେ ଧୀରେ
ଅଛି କୃଷ୍ଣ ନାମେ ଶ୍ରଦ୍ଧା
ଗୋପୀ ମନୋହାରୀ ହେ ବ୍ରଜ ବିହାରୀ
ରାଧା ପ୍ରାୟ ଆନମନା
ରାଧା ତରଫରୁ ଉଦ୍ଧବ ଉବାଚ
ଶୁଣ ' ଗୋପପୁର କାହ୍ନା '
କି ' ଭାବେ ରହିଛ ସହଜ ପ୍ରଶ୍ନରେ
ରାଧା ମୁଖେ କୃଷ୍ଣ ପୁଣି
ସେଇ କୃଷ୍ଣ ବାଣୀ ଉଦ୍ଧବ ମୁଖରେ
ଭାବି ନିଅ ରାଧା ବାଣୀ
କି'ଭାବେ,କି'ରୂପେ କେମିତି ବଞ୍ଚିଛି
ଉଦ୍ଧବ ପଚାରେ ମୋତେ
ଉଦ୍ଧବ ମୁଖରୁ ଶୁଣି ହେଲି ଜ୍ଞାତ
ଝୁରି ହୁଅ କେତେ ମୋତେ
ହୃଦୟର ଏଇ ଶୂନ୍ୟତା କହୁଛି
ଶୁଭୁନି ବଇଁଶୀ ସ୍ୱର
କହ୍ନାଇ ପ୍ରେମରେ କିମ୍ପାଇ ବିରହି
ଶୁଭେ ପରା ନିନ୍ଦା ସ୍ୱର !
ବଇଁଶୀ ସ୍ୱନ ରେ ରାଧା ରାଧା ଡାକ
ଗୋପରେ ଆଉ ଶୁଭୁନି
ନିଃସଙ୍ଗତା ଏଇ ଜୀବନର ଗାଥା
କାହାକୁ କହି ପାରୁନି
ମନ ଯମୁନା ରେ ଢେ଼ଉ ଉଠୁ ଅଛି
ପାଉନାହିଁ ଥଳକୂଳ
ନିନ୍ଦା ଅପବାଦ ହେଉଛି ଏଠାରେ
ଦିନକୁ ଦିନ ପ୍ରବଳ
ସଖୀ ସହଚରୀ ନିତି ପଚାରନ୍ତି
ଯିବା ପାଇଁ କୁଞ୍ଜବନ
ମନା କରିଲେ ବି ଟାଣି ନେଉଛନ୍ତି
ଲୁହ ଝରାଏ ନୟନ
ପଚାରେ ଯମୁନା ପୁଣି ଗୋପାଙ୍ଗନା
କାହିଁ ଗଲେ ତୋର କାହ୍ନା
ନନ୍ଦ ଯଶୋଦା ର ଅଚଳ ଅବସ୍ଥା
ସବୁବେଳେ ଆନମନା
ଧେନୁ ଗୋଷ୍ଠ ମଧ୍ୟେ ହମ୍ବା ରଡ଼ି କଲେ
ରଡ଼ି ରେ ବି କୃଷ୍ଣ ଡାକ
କୃଷ୍ଣ ସମ୍ବୋଧନ ସାରା ଗୋପପୁରେ
କୃଷ୍ଣ ଏକ କୁ ଆରେକ
ମିଳନ ପାଇଁ ଅସରନ୍ତି ଆଶା
ରହିଛି ମନ ମନ୍ଦିରେ
ବିଚ୍ଛେଦ ଯନ୍ତ୍ରଣା କେଡେ କଷ୍ଟକର
ଜାଣୁଛି ଏବେ ହୃଦରେ
ଶୟନେ ସପନେ କାହ୍ନା ଛବି ଦିଶେ
ଅଥୟ ମୋ ତନ ମନ
ଯିଏ ଯାହା କିଛି କହୁ ବା ନ କହୁ
ସଦା କୃଷ୍ଣ ଖୋଜେ ମନ
ପ୍ରେମରେ ତନ୍ମୟ ହୋଇଛି ହେ କାହ୍ନା
ଭୁଲିଛି କହିବା ଢଙ୍ଗ
ଜୀବନଟା ମୋର ନିଃସଙ୍ଗତା ସହ
ଯେ ଦିନୁ ତୁଟିଛି ସଙ୍ଗ
ଚତୁର୍ଦ୍ଦିଗ ଖାଲି ଦିଶେ କୃଷ୍ଣମୟ
କଲ କି ଯାଦୁ ମନ୍ତର
ମୋ ନାମେ ବାଜୁଛି ନିନ୍ଦାର ନାଗରା
କମ୍ପୁଅଛି ଗୋପପୁର
ହୃଦୟ ଭାବନା ବୁଝିଥିଲି ତୁମ
କିନ୍ତୁ ନାହିଁ ଅଧିକାର
ଅପେକ୍ଷା କରିବି ମରିବା ପର୍ଯ୍ୟନ୍ତ
ବଞ୍ଚିବା ଯାଏଁ ତୁମର
ଫେରି ଆସ କାହ୍ନା ଏ ଗୋପପୁର କୁ
ନିଜର କର ହେ ଥରେ
ସାଥୀ ହୋଇ ରହି ବଞ୍ଚିବାକୁ ଚାହେଁ
ପ୍ରତି ଜନ୍ମ ଜନ୍ମାନ୍ତରେ
ଛାତିରେ ଲଗାଇ ବାହୁ ବନ୍ଧନରେ
ଆଲିଙ୍ଗନ ପାଇଁ ମନ
ଭୁଲି ଗଲ ବୋଧେ କୁଞ୍ଜବନ କଥା
ମିଳନ ହୃଦ ସ୍ପନ୍ଦନ
ଆଉଥରେ ପୁଣି ଆସ ହେ, କହ୍ନାଇଁ
ଦେଖିବାକୁ ଗୋପପୁର
ପ୍ରେମର ରଜ୍ଜୁରେ ବାନ୍ଧି ରଖ ମୋତେ
ହୋଇଯିବା ଏକାକାର
ତୁମ ବିନା ଶ୍ୟାମ ଦଶ ଦିଗ ଶୁନ୍ୟ
ଆତ୍ମା ବିନା ଅଛି ପ୍ରାଣ
ବିଛେଦ ବିରହ ସହି ହେଉନାହିଁ
ଆସ ଆସ ପ୍ରାଣଧନ
ଚହଲା ପାଣିରେ କଦମ୍ବ ଭାସିଲେ
ମାରେ ସେ ଆଖି ମିଟିକା
ଯମୁନା କୂଳରେ କଦମ୍ବ ମୂଳରେ
ରାଧା ଆଜି ଏକା ଏକା
ରାଧା ରାଧା ଡାକ ଶୁଭୁନି ତଥାପି
ବସିଛି ଯମୁନା କୂଳେ
ପାଖେ କାହ୍ନା ଥିବା ଅନୁଭବ ପ୍ରାୟ
ପ୍ରତ୍ୟୟ କଦମ୍ବ ମୂଳେ
କଦମ୍ବ ବନର ନୀରବତା ଭାଙ୍ଗି
ଶୁଭୁନି ବଇଁଶୀ ସ୍ୱର
ମଥାରେ ମୟୂର ଚୂଳ ବନ୍ଧା ବାଲା
ଛାଡ଼ି ଗଲା ଗୋପ ପୁର
ମଳୟ ପବନେ କଦମ୍ବ ସୁବାସ
ବାସ ଚହଟି ଉଠୁଛି
ଗୁଣୁ ଗୁଣୁ ହୋଇ ଭ୍ରମର ବି ବୋଧେ
କିଛି ପ୍ରଶ୍ନ ପଚାରୁଛି
ଯେବେ କାହ୍ନା ଥିଲା ବାହୁ ବନ୍ଧନୀରେ
ମୁରଲୀ ଫୁଙ୍କିବା ନିଶା
ତନ ମନ ସବୁ ମିଶି ଯାଉଥିଲା
ହେଲି କେତେ ଲୋକହସା
କୋଇଲି ର ସେହି ସୁମଧୁର ଗାନ
ବେସୁରା ହୁଏ ପ୍ରତ୍ୟୟ
ରାଧା ମାତ୍ର ଏକୁଟିଆ ଦେଖି ବୋଧେ
ଭୁଲିଯାଏ ତାଳ ଲୟ
ବସନ୍ତ ଋତୁ ତ ଆସୁଛି ଧରା କୁ
ରାଧା କୁ ନିଦାଘ କିଆଁ
ଯମୁନାର ଜଳ ଉଜାଣି ଉଠୁଛି
ବୋଧେ ଖୋଜୁଛି କହ୍ନେୟା
ଗଭାର ଗଜରା ବାସ ହେଉ ନାହିଁ
ମଉଳି ଯାଉଛି କିଆଁ
ବଇଁଶୀ ର ସ୍ୱର ଶୁଭୁ ନାହିଁ ଜାଣି
ହେଉଛି ବୋଧେ ଛାନିଆ
ସଖୀ ସହଚରୀ ଦୂରେଇ ଗଲେଣି
ରାଧା ପରା ଏବେ ଅଧା
ବିଗତ ଦିନର ସ୍ମୃତି ଉଜ୍ଜୀବିତ
କିମ୍ପା ବାଧା ପରେ ବାଧା
ତଥାପି କାହିଁକି କଦମ୍ବ ମୂଳରେ
ରହି ଯାଇଅଛି ମନ
ଦିନେ ନ ଆସିଲେ ଭଲ ଲାଗୁ ନାହିଁ
କଦମ୍ବ ମୂଳେ ମୋ ପ୍ରାଣ
ଅଦ୍ୱିତୀୟ ବଂଶୀ ସ୍ୱନ ପ୍ରଭାବରେ
ତରଳି ଥିଲା ପଥର
ପଶୁମାନେ ହିଂସ୍ର ସ୍ବଭାବ ଭୁଲିଲେ
ଯମୁନାର ଜଳ ସ୍ଥିର
ଜଳ ଚର ଜୀବ ସ୍ଥିର ଅବସ୍ଥାରେ
ବିହଙ୍ଗ କାକଳି ଭୁଲି
ପବନ ଓ ଚନ୍ଦ୍ର ନିଜ ଗତି ପଥ
ସହଜେ ଗଲେ ବି ଭୁଲି
ଧ୍ୟାନସ୍ଥ ଯୋଗୀ ର ହେଲା ଧ୍ୟାନ ଭଗ୍ନ
ଗୋପାଙ୍ଗନା ବି ବିବ୍ରତ
କାମିନୀ ଶ୍ରୀରାଧା ଯାମିନୀ କାଳରେ
ବଂଶୀ ସ୍ୱନ ରେ ମୋହିତ
କୂଳବଧୁ,ଘର ଶାଶୁ ଓ ନଣନ୍ଦ
ମନରେ ନାହିଁ ବିଚାର
କାହ୍ନା ବଂଶୀ ସ୍ଵର ଆକର୍ଷଣ ଧାରେ
କୁଞ୍ଜବନେ ଆଗଭର
ଶ୍ୟାମ ବିନା କୁଞ୍ଜବନ ଶୂନ୍ୟତା ରେ
ବିଚଳିତ ହେଲା ପ୍ରାଣ
ଏ ଘନ କାଳରେ କାହିଁ ଗଲେ ଶ୍ୟାମ
ତନ ମନ ଅବସନ୍ନ
ଝୁରୁଛି ରାଧିକା ଏକାକୀ କୁଞ୍ଜରେ
ଚିନ୍ତା ଚେତନାରେ ଶ୍ୟାମ
ଶ୍ୟାମ ଦୂର୍ବାଦଳ ମୋହନ ନାଗର
ଠାଣି ବାଣୀ ଅନୁପମ
ନୟନରେ ଅଶ୍ରୁ ହୃଦୟରେ କୋହ
ଓଠ ଧାରେ ନାହିଁ ହସ
ଶ୍ୟାମ ବିନା ଏହି ଯାମିନୀ ବିତିବା
ପ୍ରାୟ ଶୁନ୍ୟ ନିରଳସ
ଝୁରେ ନିତି ରାଧା କାହ୍ନା କଥା ଭାଳି
କହୁଛି ଅନ୍ତର କଥା
ଶ୍ୟାମ ରୂପ ,ରଙ୍ଗ, ତ୍ରିଭଙ୍ଗୀ ଚାହାଣୀ
ଦର୍ଶନ ନିମନ୍ତେ ଚିନ୍ତା
ପ୍ରେମର ଆଧାର ଶ୍ରୀରାଧା ପ୍ରେମିକା
ସାକ୍ଷୀ ଯମୁନାର ଜଳ
ସାକ୍ଷୀ କେଳି କୁଞ୍ଜ,ସାକ୍ଷୀ ସହଚରୀ
ସାକ୍ଷୀ ଗୋପୀ ଓ ଗୋପାଳ
ଆକାଶକୁ ଚାହିଁ ଭାବେ ତୁମ ରାଧା
ଆକାଶର ରଙ୍ଗ ନୀଳ
ନୀଳ ତମାଳ ଓ ଯମୁନାର ଜଳ
କୃଷ୍ଣ ସ୍ଵୟଂ ରଙ୍ଗ ନୀଳ
ପୁରୁଷ ପ୍ରକୃତି ମିଳନର ଗାଥା
ଆତ୍ମା, ଆତ୍ମା ସହ ଲୀନ
ଶ୍ରୀରାଧା ମାଧବ ଏକ ଦିବ୍ୟ ଆତ୍ମା
ଅବିଚ୍ଛେଦ୍ୟ ଚିରାମ୍ଳାନ
ମନ ଜଳେ ବିରହର ଦାବାନଳେ
ଏକାକୀ ଘନ କାଳରେ
ସମ୍ଭାବନା ଭାବ ହୃଦେ ଉଜ୍ଜୀବିତ
ଚାହିଁଛି ବି ଉଜାଗରେ
କାମିନୀ ବେଶରେ ସଜ ଫୁଲ ସବୁ
ମଉଳି ଗଲାଣି ପ୍ରାୟ
ବିତୁଛି ଏ ରାତି ପାଶେ ନାହିଁ ସାଥୀ
ମନରେ ଉଠୁଛି କୋହ
ଦୂର ଦେଶୀ ବନ୍ଧୁ ସମ ଅଛ ଦୂରେ
ଡାକୁ ଥିଲ ବଂଶୀ ସ୍ୱରେ
ଉଚ୍ଛନ୍ନ ମନରେ ଶୀତଳତା ଭାବ
ମୃଗ ତୃଷ୍ଣା ଭାବନାରେ
ଫଟା ବେଲୁନ ର ପବନ ସମାନ
ଅବା ଲିଭି ଯିବା ଶିଖା
ଶୁନ୍ୟରେ ଅଦୃଶ୍ୟ ହୁଅଇ ଯେପରି
ପ୍ରେମ ଭାବେ ତୁମେ ସଖା
କାହ୍ନା ହିଁ ପରମ ରାଧା ଜୀବ ସମ
ନିଃସର୍ତ୍ତ ରେ ସମର୍ପଣ
ସାଂସାରିକ ବାଧା ବିଘ୍ନ ଥିବା ସତ୍ତ୍ବେ
ରାଧା ଚାହେଁ ଆଲିଙ୍ଗନ
ଶାଶୁ ଶଶୁର ଓ ନଣନ୍ଦ ଗଞ୍ଜଣା
ପୁଣି ପ୍ରେମ କଥା ଧାରେ
କାହ୍ନା ସହ ରାଧା ନାମ ଯୋଡ଼ି ନିନ୍ଦା
ପ୍ରାୟ ଆଗରେ ପଛରେ
ହୃଦରେ କମ୍ପନ ଆଖିରେ ସପନ
ଓଠେ ନାହିଁ ମିଠା ଧାର
ଅପଲକ ନୟନରେ ଚାହିଁ ଅଛି
କେବେ ଆସିବେ ନାଗର
ବେଦନା ର ଜଉ ଘରେ ଶାରୀ ସମ
ଅଛି ମୁକ ଅବସ୍ଥାରେ
କୁଞ୍ଜବନ ଛାଡ଼ି କାହିଁ ଗଲେ ଶ୍ୟାମ
ରାଧା ବିରହି ରୂପରେ
କିଛି ତ ଲୁଚାଇ ନ ଥିଲି ତୁମକୁ
ଭାବ ହେଲା ଦିନ ଠାରୁ
କାହିଁକି ରହିଛ ଦୂରେଇ ମୋ ଠାରୁ
ଭାବ ରହୁଛି ଅଧାରୁ
ଲୋକ ଲଜ୍ଜ୍ୟା ଭୁଲି ତୁମ ସହ ମିଶି
ରଖି ଭାବ ଖୋଲା ଖୋଲି
ଭାବୁଛ କି କିଛି ଲୁଚାଇଛି ବୋଲି
ନ କହି ଅନ୍ତର ଖୋଲି!
ତୁମ ଭାବନାକୁ ସମ୍ମାନ ଜଣାଇ
ଉନ୍ମୁକ୍ତ ଅଛି ମୋ ଭାବ
କିଛି ଲୁକ୍କାୟିତ ନାହିଁ ମୋର ହୃଦେ
ତୁମ ଭାବରେ ମୋ ଭାବ
ତୁମ ବଇଁଶୀ ର ସୁର ଲୟ ତାଳେ
କିଛି ବି ରହିନି ଲୁଚି
ସେଇ ସୁର ତାଳେ ହୃଦୟର ଭାବ
ଆପେ ଜାଗ୍ରତ ରହିଛି
ଅଧା ରହିବ କି ଭାବର ପ୍ରକାଶ
କେଉଁ ଭାବେ ଅଛ ଲୁଚି
ଏକାକୀ ଖେଳୁଛ ଲୁଚକାଳି ଖେଳ
ଏକୁଟିଆ ଲୁଚା ଲୁଚି
ଥରେ ମାତ୍ର ଆସ ଏହି କୁଞ୍ଜବନ
ରାଧା କାହ୍ମା କୁ ଖୋଜୁଛି
ଏ ଯାମିନୀ ଅନ୍ତ ହେବାକୁ ନିକଟ
ଏ କାମିନୀ ବି ମଉଳିଛି
ଦୂର୍ବାଦଳ ଶ୍ୟାମ ଶ୍ୟାମ ଶ୍ୟାମା ଶ୍ୟାମ
ଭଜୁଛି ସାରା ଯାମିନୀ
କାମିନୀ ଭାବନା ମଉଳି ନ ଯାଉ
କହେ ରାଧା ବିରହିଣୀ ।।
ରାଧାକୃଷ୍ଣ ଏକ ଆତ୍ମା ଭିନ୍ନ ଦେହେ
ଆତ୍ମା ଅଦୃଶ୍ୟ ରୂପରେ
ଆତ୍ମାକୁ କେବଳ ଅନୁଭବ ଯୋଗ୍ୟ
କୃଷ୍ଣ ରୂପ ଦର୍ଶନରେ
ଗୋପ ପୁରେ ରହି ରଚି ଥିଲ ଲୀଳା
ତୋଳି ବଂଶୀ ରେ ମୂର୍ଚ୍ଛନା
ଗୋପାଙ୍ଗନା ସହ ରାଧା ବି ମୋହିତ
ସର୍ବେ ହେଲେ ଆନମନା
କୁଳ ବଧୂ ରୂପେ ପରିଚିତ ରାଧା
ଭୁଲିଲା ଲାଜ ସରମ
କୁଞ୍ଜ ବନେ ରାସ ରସରେ ମାତିଲେ
ସତେ ଅବା ମତି ଭ୍ରମ
କୃଷ୍ଣଙ୍କର ଠାଣି ବାଣୀ ଚାହାଣି ରେ
ନିଜକୁ ହଜାଇ ରାଧା
ହୃଦୟରେ ଶ୍ୟାମ ନାମ ମଧୁରତା
ପ୍ରେମରେ ରଖିଲେ ଶ୍ରଦ୍ଧା
ଯମୁନା ଘାଟରେ ପୁଣି କେଳି କୁଞ୍ଜେ
ରାଧା କୃଷ୍ଣଙ୍କ ମିଳନ
ନିନ୍ଦା ଅପବାଦ ସବୁ ଭୁଲି ରାଧା
ଶ୍ୟାମ ପ୍ରେମେ ହେଲା ଲୀନ
କ୍ରମେ ବଦଳିଲା ଦୃଶ୍ୟ କାଳ ବଳେ
ଗଲ ଛାଡ଼ି ଗୋପପୁର
ମଥୁରା ବିଜୟ ପରେ ଦ୍ୱାରିକା ରେ
ଖେଳ ରଚିଲେ ଅପାର
ଝୁରି ହେଲା ରାଧା ଝୁରେ ଗୋପପୁର
ହୃଦୟରେ କୃଷ୍ଣ ଚିନ୍ତା
ଶ୍ୟାମ ରୂପ ,ରଙ୍ଗ, ତ୍ରିଭଙ୍ଗୀ ଚାହାଣୀ
ଦର୍ଶନ ନିମନ୍ତେ ଚିନ୍ତା
ପ୍ରେମର ଆଧାର ଶ୍ରୀରାଧା ପ୍ରେମିକା
ସାକ୍ଷୀ ଯମୁନାର ଜଳ
ସାକ୍ଷୀ କେଳି କୁଞ୍ଜ,ସାକ୍ଷୀ ସହଚରୀ
ସାକ୍ଷୀ ଗୋପୀ ଓ ଗୋପାଳ
ଆକାଶକୁ ଚାହିଁ ଭାବୁଛନ୍ତି ରାଧା
ଆକାଶର ରଙ୍ଗ ନୀଳ
ନୀଳ ତମାଳ ଓ ଯମୁନାର ଜଳ
କୃଷ୍ଣ ସ୍ଵୟଂ ରଙ୍ଗ ନୀଳ
ପୁରୁଷ ପ୍ରକୃତି ମିଳନର ଗାଥା
ଆତ୍ମା, ଆତ୍ମା ସହ ଲୀନ
ଶ୍ରୀରାଧା ମାଧବ ଏକ ଦିବ୍ୟ ଆତ୍ମା
ଅବିଛେଦ୍ୟ ଚିରାମ୍ଳାନ
ରୁକ୍ମିଣୀ ଅଙ୍କଶାୟିନୀ ଚିନ୍ତା କଲେ
ସେହି ରାଧାକୃଷ୍ଣ ଭାବ
ସଜାଇ ନିଜକୁ ରାଧାର ବେଶରେ
ପତି ସହ କଲେ ଭାବ
ପତି ଙ୍କ ଛାତି ରେ ମୁଣ୍ଡ ବି ଗୁଞ୍ଜିଲେ
ଉନ୍ମୁକ୍ତ ରାଧା ସମାନ
ହୃଦ ସ୍ପନ୍ଦନ ରେ ରାଧା,ରାଧା ଡାକ
ବୁଝିଲେ ଦୁହେଁ ଅଭିନ୍ନ
ପ୍ରବାଦରେ ରାଧା ବିନା କୃଷ୍ଣ ଅଧା
ରୁକ୍ମିଣୀ ହେଲେ ନିଶ୍ଚିତ
ରଙ୍ଗ ଅଧରରେ ସ୍ମିତ ହାସ୍ୟ ଧାରେ
ପ୍ରଭୁ ହେଲେ ସହମତ
ରାଧା ସ୍ଵୟଂ ଶକ୍ତି ,କୃଷ୍ଣ ଶକ୍ତିମାନ
ଉଭୟଙ୍କ ସଂଯୋଗ ରେ
ଜଗତ କଲ୍ୟାଣ ପାଇଁ ଅଭିପ୍ରେତ
ଶକ୍ତି ଶକ୍ତିମାନ ଧାରେ
ଶ୍ରୀକୃଷ୍ଣ ଅଟନ୍ତି ପରମ ପୁରୁଷ
ରାଧିକା ହିଁ ନିତ୍ୟ ଶକ୍ତି
ସର୍ବ ଗୁଣ ଯୁକ୍ତା ରାଧା ଆଦି ଲକ୍ଷ୍ମୀ
କୃଷ୍ଣଙ୍କର ଆଦି ଶକ୍ତି
କୃଷ୍ଣ ତତ୍ତ୍ଵ ଜିଜ୍ଞାସା ରେ ହିଁ ସୀମିତ
ମାନିନୀ ପ୍ରେମିକା ରାଧା
ଗୀତଗୋବିନ୍ଦ ରେ ରାଧା ସ୍ଵୟଂ ଲକ୍ଷ୍ମୀ
ରାଧା ବିନା କୃଷ୍ଣ ଅଧା
କାଳ୍ପନିକ ଗୀତିନାଟ୍ୟ ଆକାରରେ
ଗୀତଗୋବିନ୍ଦ ରଚନା
ରାଧାକୃଷ୍ଣଙ୍କର ମାନ ଅଭିମାନ
ପୁନର୍ମିଳନ ବର୍ଣ୍ଣନା
ଆତ୍ମା ପରମାତ୍ମା ମିଳନର ଗାଥା
ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ
ଆଲିଙ୍ଗନ ମୁଦ୍ରା ସହିତରେ ରାଧା
ଜଗନ୍ନାଥଙ୍କ ଅଙ୍ଗରେ
ସ୍ଵୟଂ ପରଂବ୍ରହ୍ମ କୃଷ୍ଣ ଜଗନ୍ନାଥ
ସ୍ଥାନ କାଳ ପାତ୍ରେ ନାମ
ଦ୍ଵାପରେ କହ୍ନେଇ କଳିରେ କାଳିଆ
ବହୁ ରୂପୀ ବହୁ ନାମ
କୃଷ୍ଣ ଯହିଁ ଗୋପ ତହିଁ ପୁରୀ ସେହି
ରାଧା କୃଷ୍ଣଙ୍କ ଅଙ୍ଗରେ
ଆଲିଙ୍ଗନ ମୁଦ୍ରା ସହ ବିଦ୍ୟମାନ
ରାଧାକୃଷ୍ଣ ଏକାକାରେ
ସଂସାର ଜଞ୍ଜାଳ ପ୍ରତି ଅନୁରୁକ୍ତ
ସ୍ଵୟଂ କୃଷ୍ଣ ଜଗନ୍ନାଥ
ଶ୍ରୀମୁଖ କେବଳ ରହିଅଛି ମୁକ୍ତ
ରାଧା ଠାରୁ ନୁହେଁ ମୁକ୍ତ ।
ହେ ମହାନାୟକ ରସିକ ପ୍ରେମିକ
ଝୁରେ ରାଧା ଝୁରେ ମୀରା
ପ୍ରେମ ରସ ପାନ ଆଢ଼ୁଆଳେ କ'ଣ
ଝୁରିବା କି ପରମ୍ପରା !!!!
ପୁରାଣ ପୃଷ୍ଠାରେ ଝୁରୁଅଛି ରାଧା
ମୀରା ବି ଇତିହାସରେ
ପ୍ରେମେ ଝୁରି ହେବା ବୋଧେ ପରିଭାଷା
ଅଛି କି ଅଭିଧାନରେ!!!
ପ୍ରଥମ ପ୍ରେମର ପ୍ରଥମ ନାୟିକା
ରହିଛି ରାଧା ନାମରେ
ଅମର ପ୍ରେମର ସ୍ମୃତି ରହିଅଛି
ଭକ୍ତ ଜନ ମାନସରେ
ଉଦ୍ଧବ ମୁଖରେ ରାଧାର ଭାବନା
ପ୍ରଶ୍ନ ଭାବେ ଅଛି ରହି
ଗୋପ ଲୀଳା ଆଧାରରେ ପ୍ରଶ୍ନ ଉଠେ
କି' ବା କରିନି କହ୍ନାଇଁ ??

