ଅଧୁରା କାହାଣୀ
ଅଧୁରା କାହାଣୀ
କାଲି ଆସିଥିଲା ନୀଳ ଲଫାପାରେ ଚିଠିଟିଏ
ଚିହ୍ନା ଚିହ୍ନା ଲାଗୁଥିଲା
କୋଳି ମଞ୍ଜି ପରି ସେ ଅକ୍ଷର ସବୁ
ଚିହ୍ନା ଚିହ୍ନା ଲାଗୁଥିଲା
ସେ ହାତଲେଖାର ଅନୁଭବ ସବୁ
ଆଖି ଆଗକୁ ଚାଲିଆସିଥିଲା
କିଛି ବର୍ଷ ଆଗର ଗୋଟିଏ ଅଧୁରା କାହାଣୀ
ଆଉ ସେ କାହାଣୀର ଚରିତ୍ରମାନେ
ନିଜର ହୋଇପାରିବେ ବୋଲି ଆଶା ଥିଲା
ଅନେକ ପ୍ରଚେଷ୍ଟା ମଧ୍ୟ ହୋଇଥିଲା
ମନେଅଛି ନା ତୁମେ ଥିଲ ସେ କାହାଣୀର ନାୟିକା
ରୂପସୀ ଲାବଣ୍ୟବତୀ
ଆଖି ଖୋଜୁଥିଲା ଖାଲି ତୁମକୁ
କିନ୍ତୁ ସାହସ ଯେ ନ ଥିଲା
ସେ ରୂପ ଲାବଣ୍ୟର ପୂଜକ ସାଜିବାକୁ
ମୌନ ରହିଯିବା ଆଉ ଏକପାଖିଆ ପ୍ରେମ
ମୋତେ ସଜେଇଦେଲା ତୁମର ପ୍ରେମିକ ସିନା
କିନ୍ତୁ ବର୍ତ୍ତମାନର ପ୍ରସଙ୍ଗରେ
ସେମାନେ ଅତୀତ ହୋଇ ସାରିଛନ୍ତି।
କେଜାଣି କେମିତି ମୁଁ ଲେଖିଥିବା
ଆଉ ହାତରୁ ଦୁଇ ହାତକୁ ଯାଇ ନ ଥିବା
ସେ ଚିଠିର ଉତ୍ତର ପହଞ୍ଚିଛି ଆଜି।
ଉତ୍ତର ତ ନୁହେଁ,
ପୁଳା ପୁଳା ଅଭିମାନ,
ସୁପ୍ତ ପ୍ରେମର ଅନୁଭବ
ବିକ୍ଷିପ୍ତ ସ୍ୱପ୍ନର ରଙ୍ଗୀନ୍ ରଙ୍ଗମଞ୍ଚ
ନାୟିକା ତୁମେ ନାୟକ ମୁଁ
ଗୋଟିଏ ଛୋଟ ଦୁନିଆ,
ଏ ଦୁନିଆ ଭିଡ଼ରୁ ବହୁ ଦୂରରେ
ହଁ!ସେ ଦୁନିଆ ଭିଡ଼ରୁ ବହୁ ଦୂରରେ ମୁଁ
ତୁମ ଦୁନିଆ,ତୁମ ଛୋଟ ପରିବାର।
ଠିକଣା ମୋର ନ ଥିଲା
ତୁମ ହୃଦୟରେ ରହିବାକୁ ଇଚ୍ଛା ଥିଲା
ନିୟତି ଆଗରେ ମୁଣ୍ଡ ନୁଆଁଇ
ତୁମେ ଚାଲିଗଲ ସାଧବବୋହୁ ସାଜି।
ରହିଗଲା ପଛରେ ତୁମ ସ୍ମୃତି ଆଉ
ଏକ ଅଧୁରା କାହାଣୀର ଶୀର୍ଷକ ହୋଇ ।