କରୋନା
କରୋନା
କରୋନା ଦ୍ଵିତୀୟ ଲହର ମାଡ଼ିଆସେ ପ୍ରବଳ
ସାଜି ସସ୍ରବାହୁ ରାକ୍ଷସ କ୍ଷିତି କରେ କବଳ ।
ସାମାନ୍ୟ ଭୁତାଣୁ ପାଶରେ ହାରେ ବିଜ୍ଞାନ ବଳ
ଚନ୍ଦ୍ର ମଙ୍ଗଳରେ ଅଧିଷ୍ଠ ନର ଆଜି ଦୁର୍ବଳ ।
ଚାଇନାରୁ ହୋଇ ଉଦ୍ଭବ ବିଶ୍ୱ ଗଲାଣି ଚରି
ସ୍ପର୍ଶରେ ଶ୍ୱାସରେ ଏକରୁ ଆନ ଦେହେ ସଂଚରି ।
କୁଷ୍ଠ କର୍କଟରୁ ବଳିଲା ଭୟାନକ ମାରକ
ଯାହାକୁ ଧରିଲା ବରିଲା ସେତ ସାତ ନରକ ।
ଛୁଇଁଲେନି ତାକୁ ଆତ୍ମୀୟ ବନ୍ଧୁ ସଖା ସୋଦର
ପତ୍ନୀ ସୁତା ସୁତ ଭୟରେ କଲେ ନାହିଁ ଆଦର ।
ସେବିକାଙ୍କ ଠାରୁ ଡାକ୍ତର ମୋଡ଼ିଦେଲେ ବଦନ
ଜିଇଁ ଥାଉଁ ଥାଉଁ ସହିବ କିଏ ଏଡ଼େ କଦନ ।
ଜେସିପି ଉଠାଇ ଶବକୁ ନିଏ ଶ୍ମଶାନେ ବହି
ପ୍ରିୟ ପରିଜନ ନୟନୁ ଅଶ୍ରୁ ଯାଏରେ ବହି ।
କୋଟି କୋଟି ହେଲେ ଆକ୍ରାନ୍ତ ଲକ୍ଷ ଲକ୍ଷ ମରଣ
ଇତିହାସେ ଲୋମହର୍ଷଣ ଏତ ମହା ମାରଣ ।
ରାଜ୍ୟ ରାଷ୍ଟ୍ର ଆନ୍ତଃରାଷ୍ଟ୍ରୀୟ ସ୍ଥିତି କି ଦୟନୀୟ
ଅର୍ଥନୀତି ହେଲା ଦୁର୍ବଳତର ଅବର୍ଣ୍ଣନୀୟ ।
ମହାମାରୀ ରୂପ ଧରିଛି ଏବେ ପୁଣି କୋଭିଡି
ବଳେ ଯୁବା ପିଲା ସଭିଙ୍କୁ ନିଏ କୋଳକୁ ଭିଡ଼ି ।
ବେଳୁ ସାବଧାନ ହୋଇଲେ କଟିଯିବ ମରଣ
ପୂର୍ବର ନିୟମ ପାଳନେ ମତି ଦୃଢ଼ୀକରଣ ।
ଇଞ୍ଜେକ୍ସନ ପ୍ରତିଷେଧକ ନିଅ ମୋ ଦେଶବାସୀ
ନାସାବାସ ପିନ୍ଧି ଦୂରତା ରକ୍ଷା କଲେ ସାବାସୀ ।
ହେଳା କଲେ ଭେଳା ବୁଡିବ ପ୍ରାଣ ହେବ ବିପନ୍ନ
ସାନିଟାଇଜରେ ଶୋଧନ ସଙ୍ଗରୋଧ ସ୍ଥାପନ ।
ସଦନ ପ୍ରସ୍ତୁତ ଖାଦ୍ୟକୁ ଖାଇ ରହି ସଦନେ
ଗୀତା ଭାଗବତ ପଢନ୍ତୁ ବସି ଭକ୍ତି ସ୍ୟନ୍ଦନେ ।
କରୋନା ଜୀବନ ଦର୍ଶନ ବାର୍ତ୍ତା କଲା ପ୍ରଚାର
ମାଆ ମାଟି ମାତୃଭାଷାର ଆଣି ଦେଲା ବିଚାର ।
ବିଜ୍ଞାନ ବଳରେ ଅଜ୍ଞାନ ନର ହେଲା ଗର୍ବାନ୍ଧ
ପ୍ରକୃତି ଦାନକୁ ବିସ୍ମରି କଲା ତା ସଙ୍ଗେ ବାଦ ।
ଏଣୁ ଏହି ଆଧିଭୌତିକ ତାପେ ହୋଇ ତାପିତ
କରୋନାର ଛାଟେ ସଂତ୍ରସ୍ଥ ମନ ବିଭୁଅର୍ପିତ ।
ନୀଳାଦ୍ରିବିହାରୀ ହେ ନରହରି ଜଗତନାଥ
ତୁମେ ନରଖିଲେ ମାନବେ ହୋଇଯିବେ ଅନାଥ ।
ଏଇ ମାଟି ଏଇ ପବନ ପାଣି ସରଗ ସମ
ପରବାସ କର ବର୍ଜନ ବାସ ସଦା ସୁଷମ ।
ଅର୍ଥ ପଛେ ଧାଇଁ ଜୀବନେ ଆଣନାହିଁ ଅଶାନ୍ତି
ଯେତିକି ମିଳୁଛି ଅର୍ଜନ ହୁଅ ତହିଁରେ ଶାନ୍ତି ।
