ଛୋଟ ଛୋଟ ହେନା ଫୁଲ
ଛୋଟ ଛୋଟ ହେନା ଫୁଲ
ତିନି ଭୁବନର ସୌନ୍ଦର୍ଯ୍ୟ ସଜାଡି
ପୁଷ୍ପଦେହେ ବିରଜିଲ
ବ୍ରହ୍ମାଣ୍ଡର ସବୁ କୋମଳତା ନେଇ
ଫୁଲ ପେନ୍ଥାରେ ଖଞ୍ଜିଲ ।
ହୃଦ କୁଞ୍ଜବନେ ମୂର୍ଚ୍ଛନାର ତାଳେ
କିଆଁ ଲେଖିଲ ସେ ନାଆଁ
ଆଖି ଲୁହ ମୋର ଆଖିରେ ମରୁଛି
ଝରା ଫୁଲ କି ମୋ ନାଆଁ ।
ଗୋଧୂଳି ଲଗନେ ସୂର୍ଯ୍ୟ ଅସ୍ତଗଲେ
ସଜ୍ଜିତ ହୋଇ ପଡନ୍ତି
କଢିପେନ୍ଥା ମୋର ଅଧା ଅଧା ଖୋଲି
ଆଖି ମିଟିକା ମାରନ୍ତି ।
ସଞ୍ଜ ନଇଁ ଗଲେ ତମକୁ ସୁମରି
ପ୍ରସ୍ଫୁଟିତ ପୁଷ୍ପ ମୁହିଁ
ମୃଦୁ ମଳୟରେ ଭାସିଉଠେ ବାସ୍ନା
ପ୍ରଭୁ ପାଦେ ସ୍ଥାନ ନାହିଁ ।
ବିଶ୍ବପତି ତୁମେ ଆହେ ବିଶ୍ୱନାଥ
ସ୍ମରଣେ ତୁମରି ନାଆଁ
କିମ୍ବଦନ୍ତୀ ମୋର ନାହିଁ କିଛି ପ୍ରଭୁ
ବିପର୍ଯ୍ୟସ୍ତ ସାତ ସିଆଁ ।
ଶ୍ରୀ ପାଦରେ ସ୍ଥାନ ନାହିଁ ଯଦି ପ୍ରଭୁ
ଧିକ୍କାର ଜୀବନ ମୋର
କିପରି ଗଢିଲ ଅଭିଶପ୍ତ ପ୍ରାଣ
ଶୁଖିଲା ନୟନୁ ନିର ।
ଦେବ ପୂଜା ପାଇଁ ଯୋଗ୍ୟ ତ ହେଲିନି
କାନ୍ଦି କାନ୍ଦି ରାତି ଯାଏ
ସୁଗନ୍ଧୀତ ବୋଲି କିଏ ତୋଳି ମତେ
ରାସ୍ତା ରେ ଫିଙ୍ଗି ତ ଦିଏ ।
ଭୂମି ରୁ ଜାତ ମୁଁ ଭୂମି କନ୍ୟା ସିନା
ଭୂମି ରେ ଝରି ପଡଇ
ଭୂମି ରୁ ଜନମ ଭୂଇଁ ରେ ମରଣ
ଭୂମି କାନ୍ଦେ ଯେ ମୋ ପାଇଁ ।
