କବିତା ରାଣୀ
କବିତା ରାଣୀ
ଯୁଗ ଯୁଗ ଧରି ଅକୁହା କଥା ମୋ
ହୃଦୟରେ ଗଦା ଥିଲା ।
କଳଙ୍କି ଲାଗିକି ହୃଦୟ ଭିତରେ
ଭାରି କଷ୍ଟ ଦେଉଥିଲା ।।
ତୁମେ ଗୋ କବିତା ସଙ୍ଗାତ ର ହାତ
ଯେବେ ମତେ ବଢାଇଲ ।
ସେହି ଦିନଠାରୁ ମୋ ହୃଦୟ କଥା
ଲିପି ବଦ୍ଧ ତୁମେ କଲ ।।
କବି କବୟତ୍ରୀ କଲମ ମୁନରେ
ସ୍ବାଗତ ହୁଏ ତୁମର ।
ତୁମ ପ୍ରେମେ କବି ଭୁଲି ଯାଏ ପତ୍ନୀ
ତୁମକୁ କରେ ନିଜର ।।
ବିଶ୍ୱର ସୁନ୍ଦରୀ କବିତା ତୁମେ ଗୋ
କବି ମନ ନିଅ କିଣି ।
ତୁମେ ଅଳଙ୍କାର କବି ଠାରୁ ନେଇ
ସୌନ୍ଦର୍ଯ୍ଯକୁ ଧର ଟାଣି ।।
ତୁମେ ମୋର ପ୍ରିୟ ଅତି ଆପଣାର
ଶବ୍ଦ ଭଣ୍ଡାର ର ମୂଳ ।
ନାଲି ଟୁକୁଟୁକୁ ସାଧବ ବୋହୂ ଲୋ
କବି ଙ୍କ ଭାବ ର ମାଳ ।।
ସତ୍ୟ ଯୁଗ ଠାରୁ କଳି ଯୁଗ ଯାଏ
ତୁମ ବିନା ନାହିଁ କିଛି ।
ତୁମେ ନ ରହିଲେ ଖୁସି ମହୋତ୍ସବ
ଲାଗେ ନାହିଁ ଭଲ କିଛି ।।
କେଉଁ ସମୟରେ ଜନ୍ମ ନେଇଥିଲ
ସଭିଏଁ କରେ ଆଦର ।
ଶବ୍ଦ ନେଇ ତୁମ ପଂକ୍ତି ସୃଷ୍ଟି ହୁଏ
ପଂକ୍ତି ରୁ କବିତା ଧାର ।।
କେଉଁ ସୃଷ୍ଟି କର୍ତ୍ତା ତୁମ ସୃଷ୍ଟି କଲେ
ଏତେ ଆକର୍ଷଣ କରି ।
ତୁମ ଜନ୍ମ ଦିନ ବିଶ୍ଵ ପାଳେ ଆଜି
ଆନନ୍ଦ ଯାଇଛି ଭରି ।।