ଶେଷ ଜୀବନ
ଶେଷ ଜୀବନ
ଚାହୁଁ ଚାହୁଁ ଆସି ଅମୃତର ଦିନ
କେବେ ଶେଷ ହେଇଗଲା
କୋଳ ଶିଶୁ ମୋର ମଥା ଟପିଗଲା
କାନ୍ଧରେ କାନ୍ଧ ମିସିଲା ।
କଳା ମିଚିମିଚି ଘନକେଶ ମୋର
ରଙ୍ଗ ବଦଳାଇ ଦେଲା
ସହି ପାରିଲାନି କଟୁ କଥା ବୋଲି
ଉପୁଡି ବାହାରି ଗଲା ।
ଦାନ୍ତ ଦୁଇ ଧାଡି ପରିଶ୍ରମ କରି
ଅବସର ନେଇ ଗଲା
ପାକୁଆ ପାଟି ଟା ମୁହଁ ଫୁଲାଇକି
ଶକ୍ତି ହୀନ ହେଇଗଲା ।
ପେଟ ମୋ କହୁଛି ଶିଝା ଖାଦ୍ୟ ଦିଅ
ତେଲ ମସଲା କୁ ଡର
କାହୁଁ ଆସିଲା ଏ ପବନ ବେମାରି
ଜଳା ପୋଡା କଷ୍ଟେ ମର ।
ନାଲି ନାଲି ଖାଦ୍ୟ ଆଖି ଦେଖି କୁହେ
ବଢିଆ ଦେଖା ଯାଉଛି
ମନ ମୋର କୁହେ କି ବାସ୍ନା ହଉଚି
ପୁଳାଏ ଖାଇ ଦେଉଛି ।
ଖାଇ ଦେଲେ କିସ ହବ ହେ ସୁଜନେ
ପେଟ ତ ସମ୍ଭାଳେ ନାହିଁ
ଦୁନିଆ ଯାକର ରୋଗ ଅଛି ଦେହେ
ଶରୀରତ ସୁସ୍ଥ ନାହିଁ ।
ଅସୁସ୍ଥତା ଜୀର୍ଣ୍ଣ ଶରୀର ଆମର
କି ହିନିମାନ ହଉଚି
ନେଇ ଯାଅ ଶିଘ୍ର ପ୍ରଭୁ ମୃତ୍ୟୁ ଦେବ
କଷ୍ଟ ସହି ନପାରୁଚି ।
ପଡିଗଲେ ଗୋଡ କି ବୁଦ୍ଧି କରିବି
କରିବେ ସମସ୍ତେ କୋପ
ଗୋଡ ଚାଲୁଥିବା ସମୟରେ ପ୍ରଭୁ
ଲିଭାଅ ଜୀବନ ଦୀପ ।
