STORYMIRROR

Krushna Chandra Lenka

Drama Action Inspirational

4  

Krushna Chandra Lenka

Drama Action Inspirational

ସନ୍ତାନ ପାଳିବା ଗୁରୁ ଦାୟିତ୍ୱ

ସନ୍ତାନ ପାଳିବା ଗୁରୁ ଦାୟିତ୍ୱ

1 min
523

ସନ୍ତାନ ପାଳନ ନୁହଁଇ ସହଜ ଏତ ଏକ ବଡ଼ କାମ,

ସେ କରମେ ଯଦି ହୁଏ କେବେ ହେଳା ବୁଡିଯିବ ନିଶ୍ଚେ ନାମ।


ଉପଯୁକ୍ତ ଏକ ପରିବେଶ ସାଥେ ତତ୍ୱାବଧାନର ବଳେ,

ବୀଜଟିଏ ଯଦି ଭଲ ଚାରା ହୋଇ ବଢଇ ଏମାଟି କୋଳେ ।


ତେବେ ଏଇ ଭୂମେ କିମ୍ପାଇଁ ଶିଶୁଏ ନହୋଇବେ ଭଲ ଜନେ

ଭଲ କାମ କରି ଆପଣାର ନାମ କାହିଁ ନରଚିବେ ଦିନେ ।


ପିଲାଦିନୁଁ କେହି ଥାଆନ୍ତି କି ଦୁଷ୍ଟ କୁଟୀରେ ଜନମ କାଳେ,

ଯଦି କେ' କୁପଥେ ପ୍ରବେଶ କରଇ ଜାଣ ସଙ୍ଗଦୋଷ ବଳେ।


ପରିବେଶ ଆଉ ପରିସ୍ଥିତି ସାଥେ ଯେବେ ଥାଏ ସଙ୍ଗଦୋଷ,

ସେକାଳେ ଜାଣିବ ଉତ୍ତମ ମଣିଷ ପାଇବାରେ ହେବ କ୍ଳେଶ।


ମନ୍ଦ ବୁଦ୍ଧି ସାଥେ କୁଟୀଳ ପ୍ରକୃତି କ୍ଷଣକେ ବଢିବ ଏଠି,

ଅସାମାଜିକର ଭାଉ ବଢିଯାଇ ସମାଜେ ପଡିବ ତାଟି।


ବେଳ ଥାଉଁ ଥାଉଁ ସାବଧାନ ହେଲେ ବିପତ୍ତିଟି ଯିବ ଟଳି,

ନହେଲେ କ୍ଷଣକେ ଅଶାନ୍ତିର ବହ୍ନି ସମାଜକୁ ଦେବ ଜାଳି।


ଓଦା ମାଟି ଗଢ଼ା ପିଣ୍ଡୁଳା ସଦୃଶ କଅଁଳ ଶିଶୁର ମନ,

ଯେମନ୍ତ ସ୍ବଭାବେ ଗଢି ଦେବ ତାରେ ସେମନ୍ତ ବିତେ ତା'ଦିନ।


ଆଙ୍କିଦେଲେ ଥରେ ଭଲ ଛବିଟିଏ ତାର ସେ କୋମଳ ମନେ,

ଅଲିଭା ହୋଇଣ ରହିଯାଏ ତାହା ଚିରଦିନ ତା'ଜୀବନେ।


ପରିବାର ଅଟେ ଆଦ୍ୟ ବିଦ୍ୟାଳୟ ପିତାମାତା ଆଦ୍ୟ ଗୁରୁ,

ଭଲ ଶିକ୍ଷା ସାଥେ ଭଲ ବ୍ୟବହାର ପାଉ ସେହି ପରିବାରୁ।


ଅଧିକ ବେତନେ ଚାକିରୀଟେ ପାଇଁ ଯେମନ୍ତ ବାନ୍ଧିଛ ଆଶା,

ଭଲ ମଣିଷଟେ ହେବା ପାଇଁ ତାରେ ସେମନ୍ତ ଗଢ ତା'ବସା।


ଶୈଶବୁ ତା'ମନେ ଭରିଦିଅ ଜନେ ଭଲ ଭାବନା, ବିଚାର

ଶିକ୍ଷା ଦିଅ ତାରେ ମଣିଷପଣିଆ ସାଥେ ଶୃଙ୍ଖଳା, ସଂସ୍କାର।


ତା'ପରେ ସେ ଶିଶୁ ଭଲ ନାଗରିକ ହେବ ନିଶ୍ଚେ ଭବିଷ୍ୟତେ,

ପିତାମାତା ସାଥେ ପରିବାର ଟେକ ରଖିବ ଦିନେ ଜଗତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama