STORYMIRROR

pravasini Senapati

Drama

4  

pravasini Senapati

Drama

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
527


ମର୍ଯ୍ୟାଦା ପୁରୁଷୋତ୍ତମ ଦଶରଥ ସୁତ ରାମ

ରାବଣକୁ ମାରି ଜାନକୀ ଙ୍କୁ ଉଦ୍ଧାରି

ମହା ଆନନ୍ଦ ଚିତ୍ତରେ ଫେରନ୍ତି ଅଯୋଧ୍ୟାପୁରେ

ପ୍ରଜା ମାନେ ବସିଛନ୍ତି ପ୍ରତୀକ୍ଷା କରି

ସୀତା ପତି ରଘୁ ନନ୍ଦନ

କଉଶଲ୍ୟା ସୁତ ସେ ଯେ ଜଗ ବନ୍ଦନ।(୧)


ତିନିମାତା ଛନ୍ତି ବସି ଫେରିବେ ଅଯୋଧ୍ୟା ଶଶୀ

ଚଉଦ ବରଷ ଆଜି ହୋଇଲା ପୂର୍ଣ୍ଣ

ଯେଉଁ ଦିନୁ ଗଲେ ବନେ ଝୁରୁଛନ୍ତି ସର୍ବ ଜନେ

କାନ୍ଦୁଅଛି ଅଯୋଧ୍ୟାର ପାଣି ପବନ

ଦେହ ଅଛି ନାହିଁ ଜୀବନ

ଅଯୋଧ୍ୟା ଲାଗୁଛି ସତେ କେଡ଼େ ଶ୍ରୀହୀନ ।(୨)


ସେ ସମୟ ଉପଗତ ଫେରୁଛନ୍ତି ରଘୁନାଥ

ସଙ୍ଗେ ବଇଦେହୀ ଆଉ ଭ୍ରାତା ଲକ୍ଷ୍ମଣ

ସଜାଇ ଦୀପାଳି ମାଳ ଚାହିଁଛନ୍ତି ପ୍ରଜା କୁଳ

ସ୍ୱାଗତ କରିବେ ହୋଇ ହରଷ ମନ

ବଢ଼ିଯାଏ ହୃଦ ସ୍ପନ୍ଦନ

ପୁଷ୍ପକ ଯାନ କଲାଣି ଅବତରଣ ।(୩)


କୋଟିନିଧି ଗଲା ମିଳି ଅନନ୍ଦାଶ୍ରୁ ଯାଏ ଝରି

ଶ୍ରୀରାମ ଧ୍ୱନୀରେ କମ୍ପେ ତିନି ଭୁବନ

ଅପଲକ ନୟନରେ ଦେଖନ୍ତି ମାତା ସ୍ନେହରେ

ଜାବୁଡି ଧରି ଛାତିରେ ପ୍ରିୟ ନନ୍ଦନ

ଆହା କି ସୁନ୍ଦର ମିଳନ

ଆନନ୍ଦ, ଉଲ୍ଲାସେ ସର୍ବେ ହେଲେ ମଗନ ।(୪)


ସତ୍ୟର ହୋଇଲା ଜୟ ଅସତ୍ୟର ପରାଜୟ

ଯୁଗ ଯୁଗ ପାଇଁଏହା ହୋଇଲା ଖ୍ୟାତ

ସେହି ଦିନୁ ଦୀପାବଳି ପାଳନ୍ତି ଆନନ୍ଦେ ମିଳି

ଆଲୋକର ପର୍ବ ଭାବେ ଏହା ବିଦିତ

ହେ ଶ୍ରୀ ରାମ ଜାନକୀ ନାଥ

ଦେଖାଅ ଆମକୁ ସତ୍ୟ, ଧର୍ମର ପଥ ।(୫)


ତୁମ ପାଦ ପଦ୍ମେ ମତି ସଦା ରହୁ ରଘୁପତି

ତୁଟିଯାଉ ସବୁ ମୋହ, ମାୟା ବନ୍ଧନ

ଦିଅ ହେ ଶୁଭ ଆଶିଷ ହେ ପ୍ରଭୁ ଜଗତ ଈଶ

ଆନନ୍ଦରେ ହସିଉଠୁ ସବୁରି ପ୍ରାଣ

ଆଜି ଏହି ଶୁଭ ଦିନରେ

ପ୍ରଣିପାତ କରୁଅଛି ଭକତି ଭରେ ।(୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama