ମହାପଞ୍ଚକ
ମହାପଞ୍ଚକ
ଜୀବନରେ ଲଭିବାକୁ ସୁଖ ଶାନ୍ତି ତୃପ୍ତି
ହେବାକୁ ଶୁଦ୍ଧ କରି ଆତ୍ମା ସଂସ୍କାର,
ଲୋଡ଼ା ହୁଏ ପବିତ୍ର ପ୍ରାଣ ନିଷ୍ପାପ ହୃଦୟ
ମନ ରଖିବାକୁ ହୁଏ ନିର୍ବିକାର ସ୍ବଚ୍ଛ ସୁନ୍ଦର।
ପାଇବାକୁ ମୁକ୍ତି ଦୁଃଖ ଶୋକ ଜରା ବ୍ଯାଧିରୁ
କରିବାକୁ ହୁଏ ବାର ବ୍ରତ ଉପାସନା,
ରହି ଏକ ନିଷ୍ଠାରେ କରି ସାତ୍ତ୍ୱିକ ଭୋଜନ
ପାଳିବାକୁ ହୁଏ ଧାର୍ମିକ ନୀତି ନିୟମ
ଏକାଗ୍ରତାର ଲକ୍ଷ୍ୟରେ କରି ଚିନ୍ତା ଚେତନା।
ମନର ନିର୍ମଳ ଭାବ ଭାବନା ଦିଏ ପ୍ରେରଣା
କରିବାକୁ ଅନ୍ତର୍ନିହିତ ପ୍ରତିଭାର ବିକାଶ,
ଧ୍ୟାନ ଧାରଣାରେ କରି ସବୁ ପାଳନ
ଶ୍ରମ ସାଧନାରେ ହୁଏ ତାର ପରିପ୍ରକାଶ।
' ପଞ୍ଚକ ' ଓଡ଼ିଆ ଜାତିର ଐତିହ୍ୟ ସଂସ୍କୃତି
ଏ ପରମ୍ପରାକୁ ରଖିବାକୁ ଉଜ୍ଜୀବିତ
ଆବାଳବୃଦ୍ଧବନିତା ଅନୁସରଣ କରନ୍ତି ମାର୍ଗ,
ଶାସ୍ତ୍ରୀୟ ସିଦ୍ଧାନ୍ତ ଆଣିଦିଏ ମନରେ ବିଶ୍ବାସ
ପରଲୋକରେ ତାକୁ ପ୍ରାପ୍ତି ହୁଏ ସ୍ଵର୍ଗ।
ପବିତ୍ର କାର୍ତ୍ତିକ ମାସର ଶେଷ ପାଞ୍ଚଦିନ
ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣମା ପର୍ଯ୍ୟନ୍ତ
ହବିଷ୍ୟ ଅନ୍ନ ଭୁଞ୍ଜି ପାଳନ କରାଯାଏ ପଞ୍ଚକ,
ପୂଜା ଅର୍ଚ୍ଚନାରେ ଦେବାଦେବୀଙ୍କୁ କରି ଦର୍ଶନ
ଆଶା ପୂର୍ଣ୍ଣ ଲାଗି କରନ୍ତି ମନରେ ମାନସିକ।
ଏ ପାଞ୍ଚଦିନ ମହାପଞ୍ଚକ, ବକପଞ୍ଚକ,ଭୀଷ୍ମପଞ୍ଚକ
ବିଷ୍ଣୁପଞ୍ଚକ ଆଦି ନାମରେ ହୋଇଛି ନାମିତ,
କିମ୍ବଦନ୍ତୀ କହେ ଏ ସବୁଦିନ ବଗ ପକ୍ଷୀ ବି
ଛୁଏଁ ନାହିଁ ଆମିଷ ରହିଥାଏ ପାଳି ବ୍ରତ।
ପିତାମହ ଭୀଷ୍ମ ହୋଇ ଶରଶଯ୍ୟାରେ ଶାୟିତ
ପାଣ୍ଡବଙ୍କ ସଙ୍ଗେ ଶ୍ରୀକୃଷ୍ଣଙ୍କୁ ବୁଝାଇ ଥିଲେ
ରାଜଧର୍ମ,ମୋକ୍ଷଧର୍ମ,ଦାନଧର୍ମର ଗୂଢ଼ ରହସ୍ୟ
ପାଳନେ ତାର ମାନବ ହୋଇଥାଏ ମୁକ୍ତ।
ହେବାରୁ ମୃତ୍ୟୁ ଶଯ୍ୟାରେ ସେ ତୃଷାର୍ତ୍ତ
ଏ ଏକାଦଶୀରେ ମାଗିଥିଲେ ଅର୍ଜୁନଙ୍କୁ ଜଳ,
ଗଙ୍ଗାଙ୍କୁ କରି ସ୍ମରଣ ବୀର ଧନୁର୍ଦ୍ଧର ଅର୍ଜୁନ
ପ୍ରସ୍ତୁତ କରି ଜଳ ଦାନେ କଲେ ତାଙ୍କର ମଙ୍ଗଳ।
ପୂର୍ଣ୍ଣିମା ଯାଏଁ ପାଞ୍ଚଦିନ ଏ ଭାବେ କରି ଜଳଦାନ
ଭୀଷ୍ମଙ୍କର ଦେହ ମନ କରିଥିଲେ ସନ୍ତୁଷ୍ଟ,
ମହାପଞ୍ଚକ ପାଳନ କରି ମାନବ ମହିମଣ୍ଡଳରେ
ଖଣ୍ଡନ କରିଥାଏ ତାର ଜୀବନର ରିଷ୍ଟ।
କାର୍ତ୍ତିକ ମହାତ୍ମା ଶ୍ରବଣେ ପାଳନେ ମିଳେ ପୁଣ୍ୟ
ଅନ୍ତରରୁ ଦିବ୍ୟ ଚେତନା ହୁଏ ଜାଗରଣ,
ସଂସାରରେ ସେ କର୍ମମାନ ପାଳି ମହତ ଜନ
ପାର୍ଥିବ କାମନା ତାର କରିଥାଏ ପୂରଣ।
