ଅର୍ଦ୍ଧାଙ୍ଗିନୀ
ଅର୍ଦ୍ଧାଙ୍ଗିନୀ
ସିମନ୍ତେ ସିନ୍ଦୂର ଦିଶଇ ସୁନ୍ଦର
ସତେକି ସାଧବ ବୋହୂ
ଚୁପି ଚୁପି କୁହେ ପ୍ରିୟ ମନ ମୋହେ
କଥା କୋଇଲିର କୁହୁ ।
ପାଉଁଜି ଝଙ୍କାର ତୋଳେ ସାତସୁର
ରୁମ ଝୁମ ଚୁଡି ବାଜେ
ଓଢଣା ଫାଙ୍କରେ ବଧୁଲି ଓଠରେ
ଅଳପ ହସଇ ଲାଜେ ।
ପତି ଦୁଃଖେ ଦୁଃଖୀ, ପତି ସୁଖେ ସୁଖୀ
ପତି ବିନା ଗତି ନାହିଁ
ଟୋପାଏ ସିନ୍ଦୂର, ଦି'ପଟ ସଙ୍ଖାର
ବନ୍ଧନେ ବାନ୍ଧିଛି ବିହି ।
କେବେ ସାଜେ ବଧୂ, କେବେ ପୁଣି ବନ୍ଧୁ
କେବେ ସେ ସାଜେ ମାନସୀ
ବାର ଓଷା ବ୍ରତ କରେ ହୋଇ ପ୍ରୀତ
ପତିଙ୍କ ଶୁଭ ମନାସି ।
ତ୍ୟାଗର ପ୍ରତିମା ଅଟଇ ସେ ବାମା
ଭୁଲେ ନିଜ ହସ ,ଖୁସି
ଲିଭେ ଜଳି ଜଳି, ସତେ କି ଦୀପାଳି
ଅମା ଅନ୍ଧାର ବିନାଶି ।
ପତି ସୋହାଗିନୀ, ସେ ସହ ଗାମିନୀ
ପ୍ରେୟସୀ ସେ ପ୍ରଣୟିନୀ
ପ୍ରେମ ପୂଜାରିଣୀ, ଜୀବନ ସଙ୍ଗିନୀ
ଅଟଇ ସେ ଅର୍ଦ୍ଧାଙ୍ଗିନୀ
ଅଟଇ ସେ ଅର୍ଦ୍ଧାଙ୍ଗିନୀ ।