ନିନ୍ଦା ବାଜଣା
ନିନ୍ଦା ବାଜଣା
ଯାଇଥିଲେ ଜଣେ ପ୍ରତିଷ୍ଠିତ ବ୍ଯକ୍ତି
ତୋହର ଦର୍ଶନ ପାଇଁ,
କଟକଣା ଯୋଗୁ ପୋଲିସ ଜଗିଛି
ବାଟ ଯେ ଛାଡିଲେ ନାହିଁ ।
ରାଗ ଗରଗର ହୋଇ ବୀରବର
ନିଜର ପଦବୀ ବଳେ,
ରୋକ୍ ଲଗାଇଲେ ସମସ୍ତଙ୍କ ପାଇଁ
କେହି ନ ଯିବେ ଗାଡିରେ ।
ବୁଢା ବୁଢୀ ଯେତେ ଆସୁଥିଲେ ତୋର
ଦର୍ଶନ କରିବା ପାଇଁ,
ମନ୍ଦିର ପ୍ରଶାସନ ବ୍ୟବସ୍ଥା ଥିଲା
ମାଗଣାରେ ଗାଡି ଦେଇ ।
ଗ୍ରୀଷ୍ମ ହେଉ ଅବା ବରଷା କାଳରେ
ହୋଇବେ ନାହିଁ ଅତିଷ୍ଠ,
ପାର୍କିଂ ଯାଗାରୁ ମନ୍ଦିର ପର୍ଯ୍ୟନ୍ତ
ଚାଲିବାଟା ବଡ କଷ୍ଟ ।
ବୃଦ୍ଧ ବୟସରେ ରୋଗ କବଳରେ
କେମିତି ଦେଖିବେ ତୋତେ,
କୋଟିପତି ବାବୁ ଅପମାନ ଭାବି
ଦେଲେଣି ଯନ୍ତ୍ରଣା ଯେତେ ।
ତୋ ପାଖରେ ପରା ସମସ୍ତେ ସମାନ
ବଡ ଛୋଟ କିଆଁ ହୁଏ,
ପଦବୀଧାରୀଙ୍କ ଗାଡି ଗଡିଯାଏ
ତୋ ସିଂହଦୁଆର ଯାଏ ।
ଗରିବଟି ପରା ଚାଲି ଚାଲି ଯାଏ
ତତଲା ପିଚୁ ପଥିକ,
ବୃଦ୍ଧ ଶିଶୁଙ୍କର ଗୋଡ ଚଳେ ନାହିଁ
ପାଆନ୍ତି କଷ୍ଟ ଅନେକ ।
କିଭଳି ବିଚାର ତୋହର କାଳିଆ
ମୋତେ ତ ଲାଗୁଛି ଦୁଃଖ,
ତାଙ୍କ ଦାନା ପାଣିରେ ମନ୍ଦିର ଚଳେ
ସେଥିକି ତୋର ଏ ମୁଖ ।
ଭକତ ଜନଙ୍କ ଭକ୍ତି ଭାବ ତୋତେ
ଅଡୁଆ ଲାଗୁଛି ପରା,
ତେଣୁ ତୋ ବିଚାର ବଦଳି ଯାଉଛି
କରିଛୁବୋଲି ଆସରା ।
ଜଗତ ଜନଙ୍କ ଆସରା ଯିଏ ସେ
ନିଜେ ଆସରାରେ ଅଛି,
ତେଣୁ କରି ଜଗନ୍ନାଥଙ୍କର ଆଜି
ମୁହଁଟା ଯାଇଛି ଶୁଖି ।
ସମାନ ବିଚାର କରିଦେ କାଳିଆ
ବଡ ଛୋଟ କେହି ନାହିଁ,
ତୋ ଆଗରେ ସବୁ ଭକ୍ତ ତୁହି ପରା
ବସିଛୁ ଜଗତ ସାଇଁ ।