ସ୍ବପ୍ନ ଲିଭିଯାଏନା
ସ୍ବପ୍ନ ଲିଭିଯାଏନା
ଜୀବନର ସବୁ ସ୍ବପ୍ନ ଯେତେ ,କେବେ ପୁରା ହୁଏନା ,
କିଛି ପୁରା ହୁଏ ପୁଣି କିଛି ଭୁଲି ହୁଏନା |
ମନଟା ମଣିଷର ବଡ଼ ଅମାନିଆ ,ସିଏ କିଛି ମାନେନା ,
ନୂଆ ନୂଆ ସ୍ବପ୍ନ ଦେଖେ ,କେବେ ଥକି ଯାଏନା |
ନୂଆ ସ୍ବପ୍ନ ଦେଖି ,ପୁରୁଣାକୁ ସିଏ ଦିଏ ଲୁଚାଇ ,
ଭାବେ ସବୁ ପାଇଯିବ ,ଭାବନାରେ ଦିଏ ନିଜକୁ ହଜାଇ |
ଯେତେ ଚେଷ୍ଟା କଲେ ସେହି ସ୍ବପ୍ନ ଲିଭି ଯାଏନା ,
ଅଧୁରା ସ୍ବପ୍ନ ହୋଇ ,ମନକୁ ସିଏ ଦିଅଇ ସାନ୍ତ୍ୱନା |
ସ୍ବପ୍ନ ଲିଭି ଯାଏନା ଜାଣି ସୁଦ୍ଧା ,ମନ ମାନେନା ,
ଭୁଲି ଯିବାର କେତେ ନାଟକ ରଚି ,କରଇ ବାହାନା |
ଯେବେ କେବେ ଏକା ଏକା ବସି କରଇ ଭାବନା ,
ସବୁ କିଛି ମନେ ପଡେ , ସ୍ବପ୍ନ ଲିଭି ଯାଏନା |
ପିଲାଦିନୁ ଦେଖିଥିବା କେତେ କେତେ ସୁନ୍ଦର ସୁନେଲି ସ୍ବପ୍ନ ,
ସେହି ସ୍ବପ୍ନ ଲିଭି ଯାଏନା ,ବାରମ୍ବାର କରଇ ପ୍ରଶ୍ନ |
ପଚାରେ ସିଏ ଧୀରେ ଧୀରେ ,ଅତି ଦୁଃଖ କାତରେ,
କୁହେ ,ସିଏ ସ୍ବପ୍ନ ଲିଭି ଯାଏନା ,ରହିଥାଏ ମନରେ |
ପଚାରେ ସିଏ ଯଦି ତାକୁ କେବେ ପାଇବାର ନଥିଲା ,
ସିଏ ସ୍ବପ୍ନ ଲିଭି ଯାଏନା ,ତାକୁ କାହିଁକି ଦେଖିଲା |
ପୁଣି କୁହେ ଉଦାସ ହୋଇ ,ଦେଖିବାରେ ନାହିଁ ମନା,
ଅଧୁରା କରି ଛାଡ଼ିଛି କାହିଁକି ?ସ୍ବପ୍ନ ଲିଭି ଯାଏନା |
ମନ ବଡ଼ ଚଞ୍ଚଳ ,ତାକୁ ଦେଉଛି ଖାଲି ଯାତନା,
କେଉଁ ଦୋଷ ସିଏ କରିଛି ? ସ୍ବପ୍ନ ଲିଭି ଯାଏନା |
କେବେ କେବେ ଅଧୁରା ହୋଇ ,ପାଉଛି ସିଏ ଯନ୍ତ୍ରଣା ,
ଏବେବି ପୂର୍ଣ୍ଣତାର ଆଶା ରଖିଛି ,ସ୍ବପ୍ନ ଲିଭି ଯାଏନା |
ଆଶା ଖାଲି ଏବେଯାଏଁ ଆଶାରେ ରହିଛି ,ବାଟ ପାଏନା ,
ସମୟ ସବୁ ଖେଳ ଖେଳୁଛି ,ସ୍ବପ୍ନ ଲିଭି ଯାଏନା |
ସ୍ବପ୍ନ ଲିଭି ଯାଏନା ସତ ,କିନ୍ତୁ ଦେଖା ଦିଏନା,
ଖୋଜିବାକୁ ହୁଏ ତାକୁ ,ସିଏ ଆପେ ଆପେ ଆସେନା |
ସ୍ବପ୍ନ ଲିଭି ଯାଏନା କେବେ ,ରହିଥାଏ ସୁପ୍ତ ହୋଇ ,
ଆଶାର ଅପେକ୍ଷାରେ ରହି ,ସିଏ ପୂର୍ଣ୍ଣ ହେବା ପାଇଁ |
